Odisha Link
Bridging the Missing Links in Odisha

ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ , ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ରାଜି କରାଇବାରେ ଲାଗି ପଡ଼ିଥିଲେ ,ମାତ୍ର ରାହୁଲ ନିଜ ନିଷ୍ପତ୍ତିରେ ଅଟଳ ଥିବା କୁହାଯାଉଛି। ଏଣୁ ତାଙ୍କ ଜାଗାରେ ଅନ୍ୟଜଣଙ୍କୁ ଅଧ୍ୟକ୍ଷ ପଦ ଦିଆଯିବା ସ୍ଥିର ହୋଇଥିବା ଜଣାଯାଇଛି। ତେବେ କିଏ ହେବ କଂଗ୍ରେସ ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ମୁତାବିକ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ। ଦଳ ଏଥିପାଇଁ ଗେହଲଟଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ସୂଚନା ରହିଛି। ଅବଶ୍ୟ ଏ ନେଇ କଂଗ୍ରେସ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। ତେବେ ଦୁଇ ତିନି ଦିନ ମଧ୍ୟରେ ଦଳର ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସୂଚନା ରହିଛି। ନୂଆ ସଭାପତି ନେହରୁ-ଗାନ୍ଧି ପରିବାର ବାହାରୁ ମନୋନୀତ ହେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କଂଗ୍ରେସ ଦଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର‘ବଂଶବାଦ ରାଜନୀତି’ର ଅଭିଯୋଗ ଆଣୁଛନ୍ତି। ତେଣୁ ଗାନ୍ଧି ପରିବାର ବାହାରୁ ନେତା ଗେହଲଟଙ୍କୁ ଦାୟିତ୍ୱ ଦେଇ କଂଗ୍ରେସ ବଂଶବାଦ ରାଜନୀତିରୁ ଓହରିବା ପାଇଁ ଚେଷ୍ଟା କରୁଛି ବୋଲି ବିଶେଷ ସୁତ୍ରରୁ ପ୍ରକାଶ।
ଅଶୋକ ଗେହଲଟ କାହିଁକି?

  • ଗେହଲଟ ନେହରୁ-ଗାନ୍ଧି ପରିବାରର ଅତି ବିଶ୍ୱସ୍ତ ଏବଂ ଦଳର ଜଣେ ପୁରୁଖା ନେତା।। ତାଙ୍କର ସଂଗଠନ ଚଳାଇବାର ଦକ୍ଷତା ସାଙ୍ଗକୁ ଅଭିଜ୍ଞତା ମଧ୍ୟ ରହିଛି। ସେ ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନର ଦାୟିତ୍ୱ ନେବା ପରେ ଦଳ ଭଲ ପ୍ରଦର୍ଶନ କରିଛି।
  • ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଭଲ ସମ୍ପର୍କ ରଖିଥିବାରୁ ଦଳ ଚଳାଇବାରେ ଅସୁବିଧା ହେବ ନାହିଁ ବୋଲି ଦଳର କୋର ଗ୍ରୁପ ଆଶା ରଖିଛି।
  • ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ରହିଛି। ତେଣୁ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦବୀ ଦେଇ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ଚିନ୍ତା କରୁଛି। ଏଭଳି ହେଲେ ଦୁଇ ନେତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ଦଳ ଆକଳନ କରିଛି।

Comments are closed.