ଶହୀଦଙ୍କ ମରଶରୀରରେ ଦଳୀୟ ପତାକା ଢଙ୍କା ଘଟଣା: ବିଜେଡ଼ିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ଶହୀଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏଥିପାଇଁ ଦଳ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହିତ ନବୀନ ନିଜେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀରେ ବିଜେପିର ପୂର୍ବତନ ସୈନିକ ସେଲ୍ ରାଜ୍ୟ ଆବାହକ ବି.କେ ବସ୍ତିଆ କହିଛନ୍ତି ଯେ,“ଶହୀଦଙ୍କ ମରଶରୀର ଉପରେ ଦଳୀୟ ପତାକା ଢାଙ୍କିବା ସାରାଦେଶ ପାଇଁ ଅପମାନର କଥା। ଏଥିପାଇଁ ବିଜୁ ଜନତା ଦଳର ସଭାପତି କ୍ଷମା ପ୍ରାର୍ଥନା କରନ୍ତୁ। ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ”। ଏହାସହ “ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ବିଜେଡି ଶହୀଦଙ୍କୁ ଅପମାନ କରିଛି। ପୁଲୱାମାରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଜଣେ ବିଜେଡି ନେତା ଧକ୍କା ମାରିଥିଲେ” ବୋଲି ଶ୍ରୀ ବସ୍ତିଆ କହିଛନ୍ତି।
ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଏ ଘଟଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଶହୀଦଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଥିଲେ। ସେପଟେ ଏହି ଘଟଣାକୁ ନେଇ ମୁହ ଖୋଲିଛନ୍ତି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଏପରି ଘଟଣା ଦୁର୍ଭାଗ୍ୟଜନକ। ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର। ଅନ୍ୟପକ୍ଷରେ ଏ ଘଟଣା ନେଇ ଶହୀଦ ଅଜିତ ସାହୁଙ୍କ ସଂପର୍କୀୟ ଭାଇ ପରମେଶ୍ୱର କହିଛନ୍ତି,“ଖୁଣ୍ଟୁଣୀରେ ବିଜେଡି କର୍ମୀ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ପକାଇଥିଲେ। ମୋତେ ଏହା ଭଲ ନଲାଗିବାରୁ, ମୁଁ ଏହାକୁ କାଢ଼ି ଦେଇଥିଲି। ତେବେ ଅଳ୍ପ ସମୟ ଭିତରେ ଲୋକେ ଫଟୋ ଉଠାଇ ଏହାକୁ ଭାଇରାଲ୍ କରି ଦେଇଥିଲେ। ମୋ ଭାଇ ଦେଶ ପାଇଁ ଶହୀଦ ହୋଇଛି, କୌଣସି ଦଳ ପାଇଁ ନୁହେଁ।” ଉକ୍ତ ଫଟୋଟିକୁ ସୋଶାଲ୍ ମିଡିଆରେ ଭାଇରାଲ୍ ନ କରିବାକୁ ଓ ଏ ଘଟଣା ନେଇ ରାଜନୀତି ନ କରିବାକୁ ପରମେଶ୍ୱର ଅନୁରୋଧ କରିଛନ୍ତି।