Odisha Link
Bridging the Missing Links in Odisha

ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ @୫୦

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ରେ ଭାରତ ଗତକାଲି ତାର ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆଫ୍‌ଗାନିସ୍ତାନକୁ ୧୧ରନ୍‌ରେ ହରାଇଛି। ଗତକାଲି ଆଫ୍‌ଗାନିସ୍ତାନକୁ ପରାସ୍ତ କରିବା ସହିତ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ରେ ତାର ୫୦ତମ ବିଜୟ ହାସଲ କରିଥିଲା। ଅର୍ଥାତ୍‌ ଏଯାବତ୍‌ ସମସ୍ତ ବିଶ୍ୱକପ୍‌ରେ ଭାରତ ଯେତୋଟି ମ୍ୟାଚ୍ ଖେଳିଛି, ସେଥିରୁ ୫୦ଟିରେ ବିଜୟୀ ହୋଇଛି। କ୍ରିକେଟ ବିଶ୍ୱକପ୍‌ରେ ୫୦ଟି ମ୍ୟାଚ୍ ଜିତିବାରେ ଭାରତ ହେଉଛି ତୃତୀୟ ଦଳ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏହି ମାଇଲଖୁଣ୍ଟ ଅତିକ୍ରମ କରି ସାରିଛନ୍ତି। ଭାରତ ବିଶ୍ୱକପ୍‌ରେ ୭୯ଟି ମ୍ୟାଚ୍ ଖେଳିଥିବା ବେଳେ ୫୦ଟିରେ ବିଜୟୀ ହୋଇଛି ଓ ୨୭ଟିରେ ହାରିଛି। ଆଉ ଦୁଇଟି ମ୍ୟାଚ୍‌ରୁ କୌଣସି ଫଳାଫଳ ବାହାରି ନାହିଁ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ୯୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୬୭ଟିରେ ବିଜୟୀ ହୋଇଛି। ପାଞ୍ଚ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ୨୧ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ମ୍ୟାଚ୍‌ର କୌଣସି ଫଳାଫଳ ଆସି ନଥିଲା।ସେହିପରି ନ୍ୟୁଜିଲ୍ୟାଣ୍ଡ ୮୪ଟି ମ୍ୟାଚ୍ ଖେଳିଥିବା ବେଳେ ୫୨ଟିରେ ବିଜୟୀ ହୋଇଛି। ୩୦ଟି ମ୍ୟାଚ୍‌ରେ ଦଳ ପରାଜିତ ହୋଇଛି।

ସୂଚନାଥାଉକି, ପ୍ରଥମେ ୧୯୭୫ରେ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଥିଲା। ଭାରତ ବି ଏଥିରେ ସାମିଲ ହୋଇଥିଲା ଓ ୩ଟି ମ୍ୟାଚ୍ ଖେଳି ଗ୍ରୁପ୍‌ଷ୍ଟେଜ୍‌ରୁ ବାହାର ହୋଇଯାଇଥିଲା। ଦଳ ୧୯୮୩ ଓ ୨୦୧୧ରେ ଚାମ୍ପିଅନ୍ ହୋଇଥିବା ବେଳେ ୨୦୦୩ରେ ଫାଇନାଲ୍‌ରେ ହାରି ଯାଇଥିଲା। ସେହିପରି ୧୯୮୭, ୧୯୯୬ ଓ ୨୦୧୫ରେ ଦଳ ସେମିଫାଇନାଲ୍‌ ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା।

Comments are closed.