Odisha Link
Bridging the Missing Links in Odisha

ବ୍ରହ୍ମକୁମାରୀ ଆଶ୍ରମରେ ଯୁବତୀଙ୍କୁ ଦୁଷ୍କର୍ମ

ଆଗ୍ରା : ବ୍ରହ୍ମକୁମାରୀ ଆଶ୍ରମରେ ୪ ବର୍ଷ ହେଲା ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ପିଡୀତା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଆଶ୍ରମ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୀଡିତା ଜଣକ । ଘଟଣା ଘଟିବା ପରେ ଯୁବତୀ ଥାନାକୁ ଯାଇ ଆଶ୍ରମ କର୍ମଚାରୀ ଭଗବାନ ସିଂହ ବିରୋଧରେ ମାମଲା ରୁଜୁ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ମଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମଧ୍ୟ ବ୍ରହ୍ମକୁମାରୀ ଆଶ୍ରମରେ ରହୁଥିଲେ । ପୀଡିତା ସେହି ଆଶ୍ରମରେ ୪ ବର୍ଷ ହେଲା ରହିଆସୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବର୍ଷେ ତଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ମାମଲା ରୁଜୁ କରିଲେ ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା । ପୀଡିତା କହିଥିଲେ ଯେ, ଗତ ୨ ଦିନ ତଳେ ପୁଣି ଥରେ କର୍ମଚାରୀ ତାଙ୍କୁ ଯୌନ ନିର୍ଯତନା ଦେଇଥିଲା । କିନ୍ତୁ ପୀଡିତା ସେଠୁ ନିଜକୁ ରକ୍ଷା କରି ପଳାଇଥିଲେ । ସେଠାରେ ଥିବା ପଡୋଶୀ ଅନ୍ତେବାସୀଙ୍କ ସାହାଯ୍ୟ ନେଇ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ ।
ପୀଡିତା କହିଥିଲେ ଯେ, ଅଭିଯୁକ୍ତ ନିଶ୍ଚିତ ଭାବେ ଆଶ୍ରମର ଅନ୍ୟ ମହିଳା ସହ ମଧ୍ୟ ଏଭଳି କାମ କରିଥିବ । ଅପରପକ୍ଷରେ ଅଭିଯୁକ୍ତ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତାଙ୍କ ସହମତିରେ ସେ ତାଙ୍କ ସହ ସଂପର୍କ ରଖିଥିଲେ। ଅଭିଯୁକ୍ତ ଅନୁସାରେ ୨ ଦିନ ତଳେ ପୀଡିତାଙ୍କ ସହ ଆଶ୍ରମର ଅନ୍ୟଜଣେ ମହିଳାଙ୍କର ଝଗଡା ହୋଇଥିଲା । ସେହି ସମୟରେ କର୍ମଚାରୀ ଉଭୟଙ୍କ ବିବାଦରେ ମୁଣ୍ଡ ଖେଳେଇଥିବାରୁ ପୀଡିତା ତାଙ୍କ ବିରୋଧରେ ମାମଲା ରୁଜୁ କରିଲେ । ଆଶ୍ରମର ଅନ୍ୟ ମହିଳାଙ୍କୁ ପୋଲିସ ପଚରା ଉଚୁରା କରି ମାମଲାର ଅନୁସନ୍ଧାନ ଜାରି ରଖିଛି ।

Comments are closed.