Odisha Link
Bridging the Missing Links in Odisha

ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ: ଅମିତ ଶାହା

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ପୂର୍ବପରି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାକର୍ମୀ ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶାହଙ୍କ ଦୁଇ ଦିନିଆ ଗସ୍ତର ଆଜି ଥିଲା ଅନ୍ତିମ ଦିନ। ଏହି ଅବସରରେ ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଏ.ପି ମାହେଶ୍ୱରୀ ଏବଂ କଶ୍ମୀରର ମୁଖ୍ୟ ଶାସନ ସଚିବ ବି.ଭି.ଆର ସୁବ୍ରମଣ୍ୟମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଗୃହମନ୍ତ୍ରୀଙ୍କ ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତ ତିନୋଟି ପ୍ରସଙ୍ଗକୁ ନେଇ ଥିଲା ବୋଲି ମାହେଶ୍ୱରୀ କହିଛନ୍ତି। ରାଜ୍ୟରେ ଗରିବ ଲୋକ କିଭଳି ସରକାରୀ ଯୋଜନାର ଲାଭ ପାଇବେ, ଅମରନାଥ ଯାତ୍ରା କିଭଳି ହିଂସାମୁକ୍ତ ହେବ ଏବଂ ଯଦି ଆବଶ୍ୟକ ପଡ଼େ ତାହେଲେ ସୁରକ୍ଷା ବ୍ୟବସ୍ଥାକୁ କିଭଳି ଆହୁରି କଡ଼ାକଡ଼ି କରାଯିବ।

ଆଗକୁ ଅମରନାଥ ଯାତ୍ରା ରହିଛି। ଏହି ସମୟରେ ରାଜ୍ୟ ପୁଲିସ, ସୁରକ୍ଷାକର୍ମୀ ଏବଂ ଗୁଇନ୍ଦା ସଂସ୍ଥାଙ୍କୁ ସତର୍କ ରହିବାକୁ ଗୃହମନ୍ତ୍ରୀ କହିଛନ୍ତି। ହିଂସାମୁକ୍ତ ଯାତ୍ରା କରିବା ପାଇଁ ସୁରକ୍ଷାକର୍ମୀ ଏବଂ ଗୁଇନ୍ଦା ସମସ୍ତ ପ୍ରକାର ପଦକ୍ଷେପ ନେବା ଉଚିତ୍ ବୋଲି ଶାହ ପରାମର୍ଶ ଦେଇଛନ୍ତି। ଏଥିସହ ଦେଶ ପାଇଁ ଶହୀଦ ହୋଇଥିବା ପୁଲିସ କର୍ମୀ ଏବଂ ଏବେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ଶ୍ରୀ ଶାହ ପ୍ରଶଂସା କରିଛନ୍ତି। ସହିଦ ହୋଇଥିବା ପୁଲିସ କର୍ମୀଙ୍କ ନାମରେ ଜିଲ୍ଲାର ପ୍ରମୁଖ ସ୍ଥଳୀ ଓ ରାସ୍ତାର ନାମକରଣ କରିବାକୁ ପରାମର୍ଶ ଦେଇଛନ୍ତି ଶାହା।

Comments are closed.