Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ଓ୍ବେଷ୍ଟଇଣ୍ଡିଜକୁ ୨୬୯ ରନର ବିଜୟଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର୍: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ପୁଣି ପଦାରେ ପଡ଼ିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଭଳି ଆଜିର ମ୍ୟାଚରେ ମଧ୍ୟ ଟିମ୍‌ ଇଣ୍ଡିଆ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ସଂଘର୍ଷ କରିବାର ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ୭୨ରନ୍‌ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଅପରାଜିତ ୫୬ ରନ୍‌ ବଳରେ ଭାରତ ୫୦ ଓଭର ଖେଳି ୨୬୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଏଥି ସହିତ କେ.ଏଲ ରାହୁଲଙ୍କ ୪୮ ଏବଂ ହାର୍ଦିକ ପାଣ୍ଡିଆଙ୍କ ୪୬ ରନ୍‌ ଭାରତ ପାଇଁ ବହୁ ଉପଯୋଗୀ ହୋଇଛି। ବିଶ୍ବକପ୍‌ କ୍ରିକେଟର ୩୪ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ୧୮ ରନ୍‌ କରି ପ୍ରଥମେ ଆଉଟ ହୋଇଥିଲେ।


ଏହା ପରେ ରାହୁଲଙ୍କୁ ଭଲ ସାଥ୍ ଦେଇଥିଲେ ବିରାଟ୍। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ରାହୁଲ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଥିଲେ। ରାହୁଲ୍ ୬୪ ବଲରେ ୬ ଚୌକା ସହ ୪୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର କ୍ରମାଗତ ଦ୍ୱିତୀୟଥର ପାଇଁ ନିରାଶ କରିଥିଲେ। ସେ ଦୁଇଟି ଆକର୍ଷଣୀୟ ଚୌକା ମାରି ଭଲ ଷ୍ଟାର୍ଟ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଶଙ୍କର (୧୪)ଙ୍କୁ ରୋଚ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କେଦାର ଯାଦବଙ୍କ ବ୍ୟାଟ୍ ମଧ୍ୟ ଚାଲିନଥିଲା। କେଦାର ୭ ରନ୍ କରି ରୋଚଙ୍କ ଶିକାର ହୋଇଥିଲେ। ଭଲ ଟଚରେ ଥିବା ବିରାଟ ଦମଦାର ବ୍ୟାଟିଂ କରି ନିଜର ୫୩ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଭଲ ସହଯୋଗ କରିଥିଲେ। ତେବେ ଧୋନି ପୁଣିଥରେ ଧିମା ବ୍ୟାଟିଂ କରି କୋହଲିଙ୍କ ଉପରେ ଚାପ ପକାଇଥିଲେ। ଯଦ୍ଦ୍ୱାରା କୋହଲି ବଡ଼ ଶଟ୍ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇ ବସିଥିଲେ।

ଭାରତର ସ୍କୋର ୧୮୦ ଥିବା ବେଳେ କୋହଲିଙ୍କୁ ହୋଲ୍ଡର ଆଉଟ୍ କରି ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୫୦ ରନ୍ ଅତିକ୍ରମ କରାଇଥିଲେ। ଧୋନି ଓ ହାର୍ଦ୍ଦିକ ଷଷ୍ଠ ୱିକେଟ୍ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ୪୬ (୩୮ ବଲ୍, ୫ ଚୌକା) ରନର ଦ୍ରୁତ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ଧୋନି ଶେଷଭାଗରେ ଦ୍ରୁତ ରନ୍ କରିଥିଲେ, ଯାହା ଫଳରେ ଭାରତ ୨୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧୋନି ୬୧ ବଲରେ ୩ ଚୌକା ଓ ୨ ଛକା ସହ ୫୬ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ ରୋଚ୍ ୩୬ ରନ୍ ଦେଇ ୩ଟି, ହୋଲ୍ଡର୍ ଓ ଶେଲଡନ୍ କଟ୍ଟରେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ସାମନାରେ ଏବେ ୨୬୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍‌ ଇଣ୍ଡିଆ। ଆକ୍ରାମକ ଖେଳରେ ମାହିରିଥିବା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ପ୍ରତିରୋଧ କରିବାର ଦାୟିତ୍ବ ଏବେ ଟିମ୍‌ ଇଣ୍ଡିଆର ବୋଲରଙ୍କ ଉପରେ ଗୁରୁ ଦାୟିତ୍ବ।

Comments are closed.