Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ପୁଣି ଚମକିଲା ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ

ମାଞ୍ଝେଷ୍ଟର: କ୍ରିକେଟ ବିଶ୍ବକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆ ଏକମାତ୍ର ଦଳ ଭାବେ ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି କ୍ରିକେଟ ମହାକୁମ୍ଭର ସେମିଫାଇନାଲ ଦ୍ବାର ଦଶରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ସେପଟେ ଓ୍ବେଷ୍ଟଇଣ୍ଡିଜର ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ ହୋଇଯାଇଛି। କ୍ରିକେଟ ବିଶ୍ବକପର ୩୪ତମ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି । ଟିମ୍‌ ଇଣ୍ଡିଆର ଉଭୟ ବ୍ୟାଟିଂ ଏବଂ  ଦମଦାର ବୋଲିଂ ବଳରେ ଭାରତ ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୨୫ ରନ୍‌ରେ ପରାସ୍ତ କରିଛି। ମହମ୍ମଦ ସାମି ଏହି ମ୍ୟାଚ୍‌ରେ ୬.୨ ଓଭରରେ ୧୬ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି । ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ୱେଷ୍ଟଇଣ୍ଡିଜ୍‌ ୩୪.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି । ପୂର୍ବରୁ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ସହ ୪ଟି ଓ୍ଵିକେଟ୍‌ ନେଇଥିଲେ।

ବିଶ୍ବକପ୍‌ କ୍ରିକେଟର ୩୪ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ୧୮ ରନ୍‌ କରି ପ୍ରଥମେ ଆଉଟ ହୋଇଥିଲେ। ଏହା ପରେ ରାହୁଲଙ୍କୁ ଭଲ ସାଥ୍ ଦେଇଥିଲେ ବିରାଟ୍। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ରାହୁଲ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଥିଲେ। ରାହୁଲ୍ ୬୪ ବଲରେ ୬ ଚୌକା ସହ ୪୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର କ୍ରମାଗତ ଦ୍ୱିତୀୟଥର ପାଇଁ ନିରାଶ କରିଥିଲେ। ସେ ଦୁଇଟି ଆକର୍ଷଣୀୟ ଚୌକା ମାରି ଭଲ ଷ୍ଟାର୍ଟ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଶଙ୍କର (୧୪)ଙ୍କୁ ରୋଚ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କେଦାର ଯାଦବଙ୍କ ବ୍ୟାଟ୍ ମଧ୍ୟ ଚାଲିନଥିଲା। କେଦାର ୭ ରନ୍ କରି ରୋଚଙ୍କ ଶିକାର ହୋଇଥିଲେ। ଭଲ ଟଚରେ ଥିବା ବିରାଟ ଦମଦାର ବ୍ୟାଟିଂ କରି ନିଜର ୫୩ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଭଲ ସହଯୋଗ କରିଥିଲେ। ତେବେ ଧୋନି ପୁଣିଥରେ ଧିମା ବ୍ୟାଟିଂ କରି କୋହଲିଙ୍କ ଉପରେ ଚାପ ପକାଇଥିଲେ। ଯଦ୍ଦ୍ୱାରା କୋହଲି ବଡ଼ ଶଟ୍ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇ ବସିଥିଲେ।

ଭାରତର ସ୍କୋର ୧୮୦ ଥିବା ବେଳେ କୋହଲିଙ୍କୁ ହୋଲ୍ଡର ଆଉଟ୍ କରି ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୫୦ ରନ୍ ଅତିକ୍ରମ କରାଇଥିଲେ। ଧୋନି ଓ ହାର୍ଦ୍ଦିକ ଷଷ୍ଠ ୱିକେଟ୍ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ୪୬ (୩୮ ବଲ୍, ୫ ଚୌକା) ରନର ଦ୍ରୁତ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ଧୋନି ଶେଷଭାଗରେ ଦ୍ରୁତ ରନ୍ କରିଥିଲେ, ଯାହା ଫଳରେ ଭାରତ ୨୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧୋନି ୬୧ ବଲରେ ୩ ଚୌକା ଓ ୨ ଛକା ସହ ୫୬ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ ରୋଚ୍ ୩୬ ରନ୍ ଦେଇ ୩ଟି, ହୋଲ୍ଡର୍ ଓ ଶେଲଡନ୍ କଟ୍ଟରେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.