ଅଧ୍ୟାପକଙ୍କୁ ତାଗିଦ, ୭ ଘଣ୍ଟା କାର୍ଯ୍ୟ ନ କଲେ କାର୍ଯ୍ୟାନୁଷ୍ଠାନ!

ଭୁବନେଶ୍ବର: କଲେଜରୁ ଶୀଘ୍ର ଯାଇ ପାରିବେ ନାହିଁ ଅଧ୍ୟାପକ। ଏଣିକି ୫ ଘଣ୍ଟା ନୁହଁ ୭ ଘଣ୍ଟା କଲେଜରେ ରହିବେ ଅଧ୍ୟାପକ। ଏପରି ନିୟମ ଖୁବଶୀଘ୍ର କାର୍ଯ୍ୟକାରି ହେବାକୁ ଯାଉଛି। ଏନେଇ ମଧ୍ୟ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗରୁ ବିଧିବଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ ସରକାରୀ କଲେଜର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଛନ୍ତି । ୟୁଜିଶି ନିୟମ ଅନୁଯାୟୀ ଅଧ୍ୟାପକମାନେ ୫ ଘଣ୍ଟା ପାଠ ପଢା ପରେ ସରକାରୀ କାର୍ଯ୍ୟ କରିଥାନ୍ତି କିନ୍ତୁ ଅଧିକାଂଶ ସମୟରେ ୫ ଘଣ୍ଟା ପୂର୍ବରୁ ଅଧ୍ୟାପକମାନେ କଲେଜରୁ ପଳାଇଯାଉଛନ୍ତି।
ତେଣୁ କଲେଜଗୁଡିକରେ ବାଇଓ ମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଉଛି ।
୫୨ଟି ସରକାରୀ କଲେଜରୁ ୧୬ଟି କଲେଜରେ ବାଇଓମେଟ୍ରିକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଦୁଇରୁ ତିନି ମାସ ମଧ୍ୟରେ ସମସ୍ତ ସରକାରୀ କଲେଜଗୁଡିକରେ ସ୍ଥାୟୀ ପ୍ରିନ୍ସିପାଲ ନିଯୁକ୍ତ କରାଯିବ, ଗତ ବାର ବର୍ଷ ହେଲା ୫୨ଟି ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି, ଏନେଇ ଉଚ୍ଚଶିକ୍ଷା ବିଭାଗ ଓପିଏସସିକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ସଚିବ ପାର୍ଥ ସାରଥୀ ମିଶ୍ର।
ସୂଚନାଥାଉକି, ଆଜିର ବୈଠକରେ ପ୍ରିନ୍ସିପାଲମାନଙ୍କ ସହିତ ଆଲୋଚନାରେ ସରକାରୀ କଲେଜରେ ସ୍ମାର୍ଟ କ୍ଲାସ, କଲେଜର ଭିତିଭୂମି, ରୁଷା ଅର୍ଥ ଖର୍ଚ୍ଚ, ପରୀକ୍ଷା ପରିଚାଳନା ଭଳି ତମାମ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ ଓ ଅତିରିକ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।