Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ଭାରତ-ଇଂଲଣ୍ଡ ମହା ମୁକାବିଲା, କର ବା ମର ସ୍ଥିତିରେ ଇଂଲଣ୍ଡ

ବର୍ମିଂହାମ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାମୁହିଁ ହେବେ। ସୁପର ସଣ୍ଡେର ସୁପର ମୁକାବିଲା ଆଜି ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚ ଉଭୟ ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ। ଏପର୍ଯ୍ୟନ୍ତ ୨୦୧୯ କ୍ରିକେଟ ବିଶ୍ବକପରେ ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ ଜାରି ରହିଛି। ଟିମ୍‌ ଇଣ୍ଡିଆ ବିଶ୍ବକପରେ ଖେଳିଥିବା ୬ଟି ମ୍ୟାଚରୁ ୫ଟିରୁ ବିଜୟ ହାସଲ କରିଥିବା ବେଳେ ଗୋଟାଏ ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଥିଲା। କହିବାକୁ ଗଲେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସେମିଫାଇନାଲର ପୁରା ନିକଟବର୍ତ୍ତୀ। ଆଜି ଟିମ୍‌ ଇଣ୍ଡିଆ ତାର ୭ମ ମ୍ୟାଚ୍‌ ବିଶ୍ବକପ୍‌ ଆୟୋଜକ ଇଂଲଣ୍ଡ ସହ ଖେଳିବ।

ଭାରତ ରବିବାର ହିଁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେବା ଆଶାରେ ରହିବ। ସେପଟେ ୭ ମ୍ୟାଚ୍‌ରୁ ମାତ୍ର ୮ ପଏଣ୍ଟ ଅର୍ଜନ କରିଥିବା ଆୟୋଜକ ଇଂଲଣ୍ଡ ପାଇଁ ଏବେ ବିଶ୍ବକପ୍‌ରେ ବଞ୍ଚି ରହିବା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ସେଥିଲାଗି ଆସନ୍ତାକାଲିର ମୁକାବିଲା ଏହି ଦଳ ପାଇଁ କର ବା ମର ହେବ। ଭାରତ କିନ୍ତୁ ନକ୍‌ଆଉଟ୍ ମୁଥରେ ଇଂଲଣ୍ଡ ଅଭିଯାନକୁ ଲାଇନଚ୍ୟୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ପରିସଂଖ୍ୟାନ ଦୃଷ୍ଟିରୁ ବି ଇଂଲଣ୍ଡଠାରୁ ଭାରତ ଆଗୁଆ ରହିଛି। ଉଭୟ ଦଳ ୯୯ ମ୍ୟାଚ୍ ଖେଳିଥିଲା ବେଳେ ଭାରତ ୫୩ ଏବଂ ଇଂଲଣ୍ଡ ୪୧ରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ଟାଇ ରହିଛି, ତିନିଟିର ଫଳାଫଳ ମିଳିନି। ବିଶ୍ବକପ୍‌ରେ ଅବଶ୍ୟ ଉଭୟ ଦଳ ସମାନ ସ୍ତରରେ ରହିଛନ୍ତି। ୭ ମ୍ୟାଚ୍‌ରୁ ତିନିଟି ଲେଖାଏଁ ବିଜୟ ପାଇଛନ୍ତି। ଗୋଟିଏ ମ୍ୟାଚ୍ ଟାଇ ହୋଇଛି। ଇଂଲଣ୍ଡ ପାଇଁ ରବିବାର ଜୋ ରୁଟ୍, ଜୋଫ୍ରା ଆର୍ଚର ଓ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଯଶପ୍ରୀତ ବୁମରା ଭାରତର ଟ୍ରମ୍ପ କାର୍ଡ ହୋଇପାରନ୍ତି।

ଘରୋଇ ପରିବେଶରେ ଖେଳୁଥିବା ଇଂଲଣ୍ଡ ପୂର୍ବରୁ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ବୋଲି ଚର୍ଚା ହେଉଥିଲା। ଇଂଲଣ୍ଡ କିନ୍ତୁ ଆଶା ଜନକ ପ୍ରଦର୍ଶନ କରି ନଥିଲା। ସେଥିପାଇଁ ରବିବାର ଭାରତ ଏବଂ ଜୁଲାଇ ୩ ତାରିଖର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଏହି ଦଳ ପାଇଁ କ୍ବାର୍ଟର ଫାଇନାଲ୍ ସଦୃଶ ହୋଇଛି। ସେପଟେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ଭାରତ ଚାରିଆଡ଼ୁ ଚାପରେ ଥିବା ଇଂଲଣ୍ଡକୁ ହରାଇ ପାରିଲେ ତା’ର ସେମିଫାଇନାଲ୍ ଖେଳିବା ପକା ହୋଇଯିବ। ଇଂଲଣ୍ଡ ଅବଶ୍ୟ ତା’ର ଗତ ୪ ମ୍ୟାଚ୍‌ ମଧ୍ୟରୁ ବାଂଲାଦେଶକୁ ୧୦୬, ୱେଷ୍ଟଇଣ୍ଡିଜକୁ ୮ ୱି‌କେଟ୍ ଏବଂ ଆଫଗାନିସ୍ତାନକୁ ୧୫୦ ରନ୍‌ରେ ହରାଇଛି। ତେବେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଦଳର ସମସ୍ୟା ବଢ଼ିଯାଇଛି।

ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର ଖେଳ ପୋଷାକ ପ୍ରାୟ ଏକା ପରି ସେଥିପାଇଁ ନୂଆ ପୋଷାକ ସହ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଆଜି ଟିମ୍‌ ଇଣ୍ଡିଆ ତାର ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ତେବେ ଟିମ୍‌ ଇଣ୍ଡିଆ ନୂଆ ଜର୍ସିରେ ତାର ବିଜୟ ଧାରାକୁ ବଜାୟ ରଖିବ ନା ଇଂଲଣ୍ଡ ଦଳ ବିଜୟୀ ହୋଇ ବିଶ୍ବକପ୍‌ ସେମିଫାଇନାଲ ଦୌଡ଼ରେ ସାମିଲ ହେବ ତାହା ଆଜିର ମ୍ୟାଚ ପରେ ଜଣାପଡ଼ିବ।

Comments are closed.