Odisha Link
Bridging the Missing Links in Odisha

କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ଅଣସର ପରେ ପ୍ରଥମ କରି ଆସନ୍ତା କାଲି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥାଏ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ରବିବାର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଠାକୁରଙ୍କ ନୀତିକାନ୍ତି ବି ନିର୍ଘଣ୍ଟ ସମୟରେ କରାଯାଉଛି। କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ପରିମାଣିକ ଦର୍ଶନ ଏବଂ ଅପରାହ୍ନ ସାଢେ ୩ଟାରୁ ସାଢେ ୪ଟା ମଧ୍ୟରେ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ଗତବର୍ଷ ପରିମାଣିକ ଟିକେଟ ମୂଲ୍ୟ ୫୦ ଟଙ୍କା ରହିଥିଲା। ହେଲେ ଏଥର ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ ୧୦୦ ଟଙ୍କା ରଖାଯାଇଛି। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ସେହିପରି ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନିଦ୍ୱାର ଦେଇ ବାହାରିବେ। ସାହାଣମେଲା ଦର୍ଶନ ମାତ୍ର ଘଣ୍ଟାଏ ରହିଥିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚତ୍ତ ହୋଇପାରନ୍ତି ପ୍ରଶ୍ନରେ ମୁଖ୍ୟ ପ୍ରଶାସକ କହିଥିଲେ ଯେ, ସେଦିନ ସ୍ଥିତି ଦେଖି ଯଦି ହୁଏ ସମୟ ବୃଦ୍ଧି କରାଯିବ।

Comments are closed.