Odisha Link
Bridging the Missing Links in Odisha

ଭୁବନେଶ୍ବରରେ ନାବାଳିକା ଗର୍ଭବତୀ

ଭୁବନେଶ୍ବର: ନାବାଳିକା ଗର୍ଭବତୀ ଘଟଣା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏବେ ରାଜଧାନୀରେ ଏଭଳି ଘଟଣା ଘଟିଛି। ଏସଟି ଓ ଏସସି ବିଭାଗ ଅଧିନରେ ଥିବା ରାଜଧାନୀ ଭୁବନେଶ୍ବରର ଛାତ୍ରୀନିବାସରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନାମୁତାବିକ, ଏହି ଛାତ୍ରୀନିବାସରେ ରହୁଥିବା ୪ଜଣ ଛାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହେବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ୪ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଡେପୁଟି କମିଶନର ଅଫ ପୁଲିସ୍‌ (ଡିସିପି)ଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲା ‘ଚାଇଲ୍ଡ ଓ୍ବେଲଫେୟାର୍‌ କମିଟି'(ସିଡ଼ବବ୍ଲ୍ୟୁସି) ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ରାଜଧାନୀର କେତୋଟି ଛାତ୍ରୀ ନିବାସ ଓ ଆବସିକ ବିଦ୍ୟାଳୟରେ ରହୁଥିବା ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ପରୀକ୍ଷଣ ଟିମ୍‌ ଯାଇ ସ୍ବାସ‌୍ଥ୍ୟ ପରୀକ୍ଷା କରିଥିଲେ। ଛାତ୍ରୀମାନଙ୍କର ପ୍ରେଗ୍ନାନ୍ସି କିଟ୍‌ ଦ୍ବାରା ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ୨ଟି ଛାତ୍ରୀନିବାସରେ ରହୁଥିବା ୪ଜଣ ଛାତ୍ରୀଙ୍କ ଗର୍ଭବତୀ ଥିବା ସନ୍ଦେହ କରାଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ୪ଜଣଙ୍କ ମଧ୍ୟରୁ ଜଣେ ଛାତ୍ରୀ ଗର୍ଭବତୀ ରହିଥିବା ପଜିଟିଭ୍‌ ରିପୋର୍ଟ ଆସିଛି ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ସମ୍ପର୍କରେ ସନ୍ଦେହ କରି ସିଡ଼ବ୍ଲ୍ୟୁସି ଏକ ଇଣ୍ଟରନାଲ କମିଟି ଗଠନ କରିଥିଲେ ଏବଂ ତନାଘନା ଜାରି ରଖିଥିଲେ ବୋଲି ସୂଚନା ରହିଛି। ଏହି ଘଟଣାର ଅଭିଯୋଗ ପରେ ଡିସିପି ଅନୁପ ସାହୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟର ହଷ୍ଟେଲ ସୁପରିନଟେଣ୍ଡେଣ୍ଟ ତଥା ହଷ୍ଟେଲ ଦାୟିତ୍ବରେ ଥିବା ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି। ଏଥି ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଥିବାର ସୂଚନା ରହିଛି। ଏହି ଘଟଣାକୁ ନେଇ ଡିସିପି ଅନୁପ ସାହୁ କହିଛନ୍ତି ଯେ, ୪ ଜଣ ଛାତ୍ରୀଙ୍କୁ ସନ୍ଦେହ କରି ଏହି ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ପରୀକ୍ଷା ପଜଟିଭ୍‌ ବୋଲି ଜଣାପଡ଼ିଛି। ପ୍ରାଥମିକ ପରୀକ୍ଷାରେ ୪ ଜଣ ଛାତ୍ରୀ ଗର୍ଭବତୀ ବୋଲି ଜଣା ପଡ଼ିଥିଲା। ପରେ କ୍ୟାପିଟାଲ ହସ୍ପିଟାଲରେ ଏହି ୪ଜଣଙ୍କ ପୁନଶ୍ଚ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣେ ଛାତ୍ରୀ ଗର୍ଭବତୀ ଅଛନ୍ତି ବୋଲି ସ୍ପଷ୍ଟ ହୋଇଥିବା ଡିସିପି ଅନୁପ ସାହୁ କହିଛନ୍ତି।

ସୂଚନାଥାଉକି, ଗତ କିଛିମାସ ପୂର୍ବରୁ ଆଦିବାସୀ ଜିଲ୍ଲା ଅଧ୍ୟୁକ୍ଷିତ କେତେକ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏନେଇ ସରକାରଙ୍କର ଛାତ୍ରୀନିବାସର ସୁରକ୍ଷା ଲାଗି ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ତରଫରୁ ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଏତେ ବ୍ୟବସ୍ଥା କରି ମଧ୍ୟ କିଭଳି ଏଭଳି ଘଟଣା ଘଟୁଛି ତାହା ସାଧାରଣ ମହଲେର ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.