Odisha Link
Bridging the Missing Links in Odisha

CDMO ଓ ADMOଙ୍କୁ ତାଲା ପକାଇଲେ କର୍ମଚାରୀ

କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।
ଅଭିଯୋଗ ଅନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ସବୁଦିନ ଭଳି ଆଜିବି କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟରେ ଯୋଗ ଦେବାକୁ ଏଡିଏମ୍ଓ ସେମାନଙ୍କୁ ମନା କରିଥିଲେ। ବିନା ନୋଟିସ୍‌ରେ ଅଚାନକ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ କରିଦେଇଥିବାରୁ କର୍ମଚାରୀମାନେ ବିରୋଧ କରି ଏଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।ଘଟଣାର ସମାଧାନ ପାଇଁ ଭାରପ୍ରାପ୍ତ ସିଡିଏମ୍ଓ ପହଞ୍ଚିବା ପରେ କର୍ମଚାରୀମାନେ ଉଭୟଙ୍କୁ ଅଫିସ୍ ଭିତରେ ବନ୍ଦ ରଖି ଧାରଣାରେ ବସିଥିଲେ। ତେବେ ଅନ୍ୟତ୍ର ଥଇଥାନ ପାଇଁ ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଧାରଣାରୁ ଓହରିଥିଲେ।
୨୦୦୭ ମସିହାରୁ ରୋଗୀ କଲ୍ୟାଣ ସମିତି ଯୋଜନାରେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ପରେ ଏମାନଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ନେଇ ଗତ ଫେବ୍ରୁଆରୀରେ ମଧ୍ୟ ଅସ୍ଥାୟୀ କର୍ମଚାରୀମାନେ ଧାରଣା ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ରୁ ଅଧିକ ଗ୍ରୁପ୍ ଡି ପୋଷ୍ଟ୍ ଖାଲି ଥିବାରୁ ସେମାନଙ୍କୁ ସେଥିରେ ଥଇଥାନ ପାଇଁ ଅସ୍ଥାୟୀ କର୍ମଚାରୀମାନେ ଦାବି କରିଛନ୍ତି।

Comments are closed.