ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ, ବିଳମ୍ବରେ ମାମଲା ରୁଜୁ କଲା ପୁଲିସ

ମାଲକାନଗିରି: ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଅଭିଯୋଗ। ଥମିବାର ନାଁ ଧରୁନି ଅଭିଯୋଗ। ପ୍ରାୟ ପ୍ରତ୍ୟକ ଦିନ ରାଜ୍ୟର କୋଣ ଅନୁକୋଣରୁ ଏପରି ଖବର ଆସୁଛି। ମାଲକାନଗିରି ଜିଲ୍ଲାରୁ ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଥିବା ଏଭଳି ଏକ ଅଭିଯୋଗ ଆସିଛି। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନୁସିକ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପି ଭି-୮୧ ଗ୍ରାମରେ ଘଟିଛି । ତେବେ ଏ ନେଇ ପ୍ରଥମେ ପୁଲିସ ଅବହେଳା କରିବା ସହ ବହୁ ବିଳମ୍ବରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବିକ, ପାଠ ପଢାଇବା ନାଁରେ ଶିକ୍ଷକ ଘରକୁ ଡାକି ଦୁଇ ଦିନ ଧରି ନାବଳିକାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡିତାଙ୍କ ପକ୍ଷରୁ ମୋଟୁ ଥାନାରେ ପ୍ରଥମେ ଏତଲା ଦିଆଯାଇ ଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନଥିଲେ। ଶନିବାର ପୀଡିତାଙ୍କ ମାଆ ଏ ନେଇ ମାଲକାନଗିରି ମଡେଲ୍ ଥାନାରେ ପହଞ୍ଚିଥିଲେ। ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏତଲା ରୁଜୁ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି।