Odisha Link
Bridging the Missing Links in Odisha

ଶୂନ୍ୟକାଳରେ ବିଜେପି-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର : ମଙ୍ଗଳବାର ବିଧାନସଭାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତାତି ନେଇ ସୃଷ୍ଟ ହଟ୍ଟଗୋଳ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୩ଟା ଯାଏଁ ଗୃହକୁ ମୁଲତବି କରିଦେଇଛନ୍ତି । ତେବେ ଗୃହ ମୁଲତବୀ ପରେ କଂଗ୍ରେସ-ବିଜେପି ମୁହାଁମୁହିଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମଧ୍ୟରେ କଥା କଟାକଟି ହୋଇଛି ।
ଗୃହ ମୁଲତବି ପରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ଗୃହରେ ହୋହାଲ୍ଲା କରି ଜାଣିଶୁଣି କହିବାକୁ ସୁଯୋଗ ଦେଉନି । କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି । ଏଥିରୁ ସ୍ପଷ୍ଟ ବିଜେଡି ଓ କଂଗ୍ରେସ ଭିତରେ କିଛି ଫିକ୍ସିଂ ହୋଇଛି । ଏପରିକି ଆମେ ଗୃହରେ ଅଚଳାବସ୍ଥା କଲେ କେହି ସମ୍ଭାଳି ପାରିବେନି ବୋଲି ଶ୍ରୀ ସେଠୀ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ସେଠୀଙ୍କ ଅଭିଯୋଗର ଜବାବ ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଜେପି ଗୃହରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି କାହିଁକି ଉଠାଉନାହିଁ । ଶାସକ ଦଳକୁ ସୁରକ୍ଷା ଦେବାକୁ ବିଜେପି ଅନ୍ୟ ପ୍ରସଙ୍ଗ ଉଠାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରେ ବିଜେପି ଜଣଙ୍କୁ ରାଜ୍ୟସଭାକୁ ପଠାଇଛି । ଏଥିରୁ ପ୍ରମାଣିତ କିଏ କାହା ସହ ହାତ ମିଳାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ବିଧାନସଭାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ହୋହଲ୍ଲା କରିଥିବାବେଳେ ବିଜେପି ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଏପରିକି ବାଚସ୍ପତି ଗୃହକୁ ସଠିକ ଭାବେ ପରିଚାଳନା ନକଲେ କକ୍ଷତ୍ୟାଗ କରିବାକୁ ଧମକ ଦେଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।

Comments are closed.