Odisha Link
Bridging the Missing Links in Odisha

କାଲି ପାଟକୁରା ଭୋଟ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା

ଭୁବନେଶ୍ବର : ଆସନ୍ତା କାଲି ହେବ ଭୋଟ ଗ୍ରହଣ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପାରୀକ୍ଷା କରିବେ ଜନତା । ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ବୁଥ ରିଗିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ବିଜେଡି ବିଜେପି ପରସ୍ପର ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେଡି ବିଜେପି ବିରୋଧରେ ବୁଥ କ୍ୟାପଚର ଅଭିଯୋଗ ଆଣିଥିବା ବେଳେ ବିଜେପି ବିଜେଡି ନେତା ପାଟକୁରା ଛାଡିନଥିବା ସିଇଓଙ୍କ ପାଖରେ ଅଭିଯୋଗ କରିଛି। ବୁଥରେ ପହଞ୍ଚିଯାଇଛନ୍ତି ପୋଲିଂ ପାର୍ଟି । ଇଭିଏମ, ଭିଭିପାଟ ରେଡି । ୩୦୯ ଟି ବୁଥରେ ହେବ ମତଦାନ। ପାଟକୁରା ନିର୍ବାଚନ ମୈଦାନରେ ଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା । ୧୭ଶହ ପୋଲିଂ ବୁଥ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ୪ କମ୍ପାନୀ ସିଏପିଏଫ, ୩୧ଟି ଓ୍ବେବ କାଷ୍ଟିଂ, ୪୦ଟି ସ୍ଥାନରେ ସିସିଟିଭି ୫୨ଜଣ ମାଇକ୍ରୋ ଅବଜରଭର, ୧୫ବୁଥରେ ଭିଡିଓଗ୍ରାଫି କରାଯିବ।
ନିର୍ବାଚନ କମିଶନ ପ୍ରସ୍ତୁତି ଚୂଡାନ୍ତ କରିବା ବେଳକୁ ବିଜେଡି ବିଜେପି ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି । ପ୍ରଥମେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେପି ବିରୋଧରେ ଫେରାଦ ହୋଇଛି। ଅଭିଯୋଗ କରିଛି ଯେ ୫୪ଟି ବୁଥକୁ ବିଜେପି ତା କବଜାରେ ରଖିଛି । ସେହି ବୁଥଗୁଡ଼ିକରେ ବିଜେପି ରିଗିଂ ଓ ଭୋଟରଙ୍କୁ ପ୍ରଭାବିତ କରିବ ବିଜେଡି ଅଭିଯୋଗ କରିଛି। ଏପଟେ ବିଜେପି ବି ବିଜେଡି ବିରୋଧରେ ମଧ୍ୟ ଫେରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀ ପାଟକୁରା ଛାଡି ନାହାନ୍ତି। ପ୍ରଚାର ସରିବା ମାତ୍ରେ ପାଟକୁରା ବାହରର ନେତା ଏରିୟା ଛାଡିବା​‌ କଥା କିନ୍ତୁ ବିଜେଡି ନେତାମାନେ ଟଙ୍କା ବାଣ୍ଟିବା ପାଇଁ ପଡି ରହିଛନ୍ତି । ଏବଂ ବୁଥ କ୍ୟାପଚର କରିବେ ​‌ବୋଲି ସିଇଓଙ୍କ ପାଖରେ ଅଭିଯୋଗ କରିଛି ବିଜେପି। ଆସନ୍ତା କାଲି ଭୋଟ ଗ୍ରହଣ ସକଳା ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ। ଜଣାପଡ଼ିଯିବ କାହାର ହେବ ଜିତାପଟ।

Comments are closed.