Odisha Link
Bridging the Missing Links in Odisha

ଆଜି ପାଟକୁରା ନିର୍ବାଚନ : ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

କେନ୍ଦ୍ରାପଡା : ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯିବ। ନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।୩୦୯ ବୁଥରେ ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ସେମାନଙ୍କର ମତଦାନ କରିବେ। ପାଟକୁରା କାହାର ସେନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। କୌଣସି ଦଳ କୌଣସି ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନୁହଁନ୍ତି। ସାଧାରଣ ନିର୍ବାଚନ ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଏବଂ ପରେ ଫନି ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଦୁଇ ଥର ପରିବର୍ତ୍ତନ କରାଯାଇଥିଲା।
ଏଥର ନିର୍ବାଚନରେ ବିଜେଡି ପକ୍ଷରୁ ସ୍ବର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ୨୪ରେ ହେବ ଭୋଟ୍ ଗଣତି।ପାଟକୁରାରେ ୩୦୯ଟି ବୁଥ୍ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍‌ରେ ୱେବ୍ କାଷ୍ଟିଂ କରାଯିବ। ଏହି କାର୍ଯ୍ୟରେ ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ୫୨ ଜଣ ମାଇକ୍ରୋ ଅବଜର୍ଭର୍ ନିଯୁକ୍ତ ହୋଇଛନ୍ତି। ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୁଲିସ ଅଟକ ରଖିଛି।

Comments are closed.