Odisha Link
Bridging the Missing Links in Odisha

ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା; ଚିଲିକାରେ ନିର୍ମାଣ ହେବ ସେତୁ

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ କ୍ରମାଗତ ଭାବେ ଓଡିଶାକୁ ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରୀୟ ନେତା। ଏହି କ୍ରମରେ ଆଜି ପୁରୀରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ବିରାଟ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କଲି। ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ। ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ଏ ଯୋଜନା ଓଡ଼ିଶାରେ ଲାଗୁ ହେଲେ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ। ଆମ ସରକାର ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀମୁକ୍ତ କରାଯାଇଛି। ଦେଶରେ କେବଳ ସ୍ମାର୍ଟ ସିଟି ନୁହେଁ, ସ୍ମାର୍ଟ ଗ୍ରାମ ପାଇଁ ଉଦ୍ୟମ କରିଛୁ। ଆମେ ଚେଷ୍ଟିତ କୃଷକ କେବଳ ଅନ୍ନ ଦେବନି, ଶକ୍ତି ବି ଦେବ।

ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ। ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ।୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ବିଜେପିର ସିଦ୍ଧାନ୍ତ ଯେ ଯାହା କହିବୁ, ତାକୁ କରି ଦେଖାଇବୁ। ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ୍‌ ରାସ୍ତା ହେବ। କଟକରୁ ପାରାଦୀପ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ। ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି, ଚିଲିକାରେ ସେତୁ ନିର୍ମାଣ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ କରାଯିବ। ଭୁବନେଶ୍ୱର ରିଂ ରୋଡ୍ ଅକ୍ଟୋବରରୁ କାମ ଆରମ୍ଭ ହେବ। ସମ୍ବଲପୁରରେ ୩୫ କିମି ୪ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌ ହେବ। ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ। ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

Leave A Reply

Your email address will not be published.