Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଛାତ୍ରଙ୍କ ପ୍ରତିବାଦ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାଟକୁରାରେ କେନ୍ଦ୍ରାପଡ଼ା ଏସପି କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ଘଟଣାକୁ ନେଇ ରାଜ୍ୟ ବିଭିନ୍ନ ମହଲରୁ ପ୍ରତିବାଦ କରାଯାଇଛି। ଏହି ଘଟଣାକୁ ନିନ୍ଦା କରି ଉତ୍କଳ ବିଶ୍ବବିଦ୍ୟାଳୟର ଗଣଯୋଗାଯୋଗ ଓ ସାମ୍ବାଦିକତା ବିଭାଗର ଛାତ୍ର ମାନେ ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ। ହାତରେ ପ୍ଲାକାର୍ଡ଼ ଧରି ଏଭଳି ଘଟଣାକୁ ନିନ୍ଦା କରିବା ସହିତ ବିରୋଧ କରିଥିଲେ। ଛାତ୍ରମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହାତ ଉଠାଇବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ। କାର୍ଯ୍ୟରତ ଜିଲ୍ଲା ଆରକ୍ଷୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ଏବଂ ଆଗାମୀ ଦିନରେ ଏଭଳି ଅଭାବନୀୟ ଘଟଣାର ଯେମିତି ପୁନରାବୃତ୍ତି ନହେବ ସେ ନେଇ ଦାବି କରିଛନ୍ତି।

ଏଥିରେ ସାମ୍ବାଦିକତା ବିଭାଗର ଛାତ୍ର ଅସିତ ରଞ୍ଜନ ଦାସ, ସଂଗ୍ରାମ କେଶରୀ ନାୟକ, ମନୋଜ ବେହେରା, ଦେବୀପ୍ରସାଦ ମହାନ୍ତି, ଗୋପନ ବିଶ୍ବାଳ, ବିଶ୍ବଜିତ ବିଶ୍ବାଳ, ପ୍ରିୟ ରଞ୍ଜନ ବେହେରା, ଜିତୁ ସାହୁ, ସତ୍ୟସାଗର ବେହେରା, ସଞ୍ଜୟ ମହାପାତ୍ରଙ୍କ ସମେତ ଅନ୍ୟ ଛାତ୍ରମାନେ ଉପସ୍ଥିତ ରହିଥିଲେ। ସୂଚନାଥାଉକି, ଗତ ବୁଧାବାର ଦିନ ନବୀନଙ୍କ ପାଟକୁରା ଗସ୍ତ ସମୟରେ କାର୍ଯ୍ୟରତ ନ୍ୟୁଜ-୧୮ର ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନିତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର କରିଥିଲେ।

Comments are closed.