Odisha Link
Bridging the Missing Links in Odisha

ପୋତା ଯାଇଥିବା ଶବକୁ ବାହାର କଲା ପୁଲିସ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଗତ ୪ ଦିନ ତଳେ ମାଟିରେ ପୋତାଯାଇଥିବା ଏକ ଶବକୁ ଖୋଳି ପୋଲିସ ବ୍ୟବଚ୍ଛେଦ କରିଛି। ମୃତ ଶବ ଉମରକୋଟ୍ ବ୍ଲକ ପଦିଆଗୁଡ଼ା ଗ୍ରାମର କିଶୋର ମାଝୀଙ୍କର ବୋଲି ଜଣାପଡ଼ିଛି।
ଗତ ୪ ଦିନ ତଳେ ୧୮ ବର୍ଷୀୟ କିଶୋର ମାଝୀଙ୍କର ମୃତ୍ୟୁ ହୋଇଥିଲା। ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କହି ତାଙ୍କ ବଡ଼ବାପା ଓ ପୁଅମାନେ ଗ୍ରାମବାସୀଙ୍କ ସହ ମିଶି ଗାଁ ମଶାଣିରେ ଶବ ପୋତି ଦେଇଥିଲେ । ହେଲେ ଏହାର ୩ ଦିନ ପରେ କିଶୋରଙ୍କ ଭଉଣୀ ଉମରକୋଟ ଥାନାରେ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଜମିଜମା ବିବାଦକୁ ନେଇ ତାଙ୍କ ବଡ଼ବାପା ଓ ପୁଅମାନେ ମିଶି କିଶୋରଙ୍କୁ ପିଟି ପିଟି ମାରିଦେଇଥିବା ଏତଲାରେ ଦର୍ଶାଇଥିଲେ। ଏହାପରେ ଘଟଣା ଭିନ୍ନ ମୋଡ ନେଇଥିଲା।
ଅଭି‌ଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶବକୁ ଖୋଳି ବ୍ୟବଚ୍ଛେଦ କରାଇଥିଲା। ଉମରକୋଟ୍ ଆଇଆଇସି ଏବଂ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ କଢାଯାଇଥିଲା। ତେବେ କିଶୋରଙ୍କ ଭଉଣୀମାନେ କେଉଁଆଡେ ଆତ୍ମଗୋପନ କରିଥିବାରୁ ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇପାରିନି।

Comments are closed.