Odisha Link
Bridging the Missing Links in Odisha

‘ଚନ୍ଦ୍ରଯାନ-୨’ର କିଛି ଜଣା ଅଜଣା କଥା..

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟ୍‌ରେ କେତେକ ବୈଷୟିକ ତ୍ରୁଟି ଯୋଗୁଁ ୧୫ ଜୁଲାଇରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ଅଟକାଇ ଦିଆଯାଇଥିଲା ରକେଟ୍‌ରେ ଥିବା ତ୍ରୁଟି ସୁଧାରିବା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭାରତ ନିଜର ପ୍ରଥମ ଚନ୍ଦ୍ର ଅବତରଣ ମିସନ୍‌କୁ ସଫଳ କରିବା ପାଇଁ ଏବେ ସବୁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ଆଜି ଏହା ମହକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।

କିଛି କଥା:
ଚତୁର୍ଥ ଦେଶ ହେବ ଭାରତ: ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରକ୍ଷେପଣ କେନ୍ଦ୍ରରୁ କରାଯିବ। ଅଭିଯାନର ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହେବ। ଏହା ପୂର୍ବରୁ ଆମେରିକା, ଚୀନ ଓ ରୁଷ ନିଜର ଯାନ ଚନ୍ଦ୍ର ପୃଷ୍ଠରେ ପାଦ ଦେଇ ସାରିଛି। ଭାରତ ୨୦୦୮ରେ ଚନ୍ଦ୍ରଯାନ-୧ ପ୍ରେରଣ କରିଥିଲା, ଯାହା ୧୦ ମାସ ପର୍ଯ୍ୟଅନ୍ତ ଚନ୍ଦ୍ରର ପରିକ୍ରମା କରି ଇସ୍ରୋର ଅଭିଯାନକୁ ସଫଳ କରିଥିଲା। ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବାର ଶ୍ରେୟ ଏହି ଅଭିଯାନକୁ ଦିଆଯାଏ। ଇସ୍ରୋର ପ୍ରମୁଖ ଡ. କେ.ଶିବମ କହିଛନ୍ତି ଯେ, କ୍ରାୟୋଜୋନିକ ଇଞ୍ଜିନରେ ଥିବା ତ୍ରୁଟିର ସମାଧାନ ପରେ ପୁଣି ଥରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ସଂପୂର୍ଣ୍ଣ ପ୍ରସ୍ତୁତ।

ପ୍ରସିଦ୍ଧ ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମରେ ନାମିତ  ପେଲେଡ ଲ୍ୟାଣ୍ଡର:
ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ରେ ମୋଟ୍ ୧୩ଟି ପେଲୋଡ୍ ରହିଛି। ଆଠ ଅର୍ବିଟରରେ, ୩ ଲ୍ୟାଣ୍ଡର-ବିକ୍ରମରେ ଏବଂ ଦୁଇଟି ପେଲୋଡ ରୋଭର-ପ୍ରଜ୍ଞାନରେ ରହିଛି। ପାଞ୍ଚଟି ପେଲୋଡ ଭାରତର, ତିନୋଟି ୟୁରୋପର, ଦୁଇଟି ଆମେରିକାର ଏବଂ ଗୋଟିଏ ବୁଲଗେରିଆର ରହିଛି। ଉତକ୍ଷେପଣର ପ୍ରାୟ ୧୫ ମିନିଟ୍ ପରେ ଜିଏସଏଲଭି-ଏମକେ ୩ ଚନ୍ଦ୍ରଯାନ-୨କୁ ପୃଥିବୀର କକ୍ଷରେ ସ୍ଥାପିତ କରିବ। ଲ୍ୟାଣ୍ଡର ବିକ୍ରମର ନାମ ଭାରତୀୟ ମହାକାଶ ଗବେଷଣକାରୀ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ଏ ସାରାଭାଇଙ୍କ ନାମରେ ନାମିତ କରାଯାଇଛି। ଦ୍ଵିତୀୟଃ ୨୭ କିଲୋଗ୍ରାମ ଓଜନର ‘ପ୍ରଜ୍ଞାନ’ ର ଅର୍ଥ ବୁଦ୍ଧିମତା। ଇସ୍ରୋ ଚନ୍ଦ୍ରଯାନ-୨କୁ ଚନ୍ଦ୍ର ଦକ୍ଷିଣ ମେରୁରରେ ଅବତରଣ କରାଇବ।

ମିଶନ ଚନ୍ଦ୍ରଯାନ-୨:

  • କେବେ ପ୍ରକ୍ଷେପଣ- ଜୁଲାଇ ୨୨, ଅପରାହ୍ନ ୨ଟା ୪୩ ମିନିଟ୍
  • ମୋଟ୍ ବ୍ୟୟ-୯୭୮ କୋଟି ଟଙ୍କା
  • ମୋଟ୍ ଅଂଶ- ଅର୍ବିଟର, ଲ୍ୟାଣ୍ଡର ଓ ରୋଭର
  • ମୋଟ୍ ଓଜନ- ୩.୮ ଟନ
  • ଭାରତର ସବୁଠୁ ଓଜନଦାର ରକେଟ୍ ଜିଏସଏଲଭି ଏମକେ-୩ରୁ ହେବ ଉତକ୍ଷେପଣ
  • ଅର୍ବିଟର-୧୦୦ କିମି ଉଚ୍ଚରେ କରିବ ପରିକ୍ରମା
  • ଲ୍ୟାଣ୍ଡର(ବିକ୍ରମ)- ଚନ୍ଦ୍ରର ଭୂପୃଷ୍ଠକୁ ସ୍ପର୍ଶ କରିବ ଏବଂ ରୋଭରକୁ ରିଲିଜ୍ କରିବ
  • ରୋଭର(ପ୍ରଜ୍ଞାନ)- ୧ ସେକେଣ୍ଡ ପ୍ରତି ଏକ ସେମି ବେଗରେ ଚାଲିବ ଏବଂ ମୋଟ୍ ୫୦୦ ମିଟର ଜାଗା କଭର କରିବ

Comments are closed.