Odisha Link
Bridging the Missing Links in Odisha

ନବୀନ ନିବାସରେ ପାଟକୁରା ମନ୍ଥନ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିତାମ ମାରିଛନ୍ତି । ଗତକାଲି ଭୋଟ ଗଣତି ହୋଇଥିବାବେଳେ ଶ୍ରୀମତୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ଏହା ପରେ ଆଜି ଅର୍ଥାତ ଗୁରୁବାର ନବୀନ ନିବାସରେ ପାଟକୁରା ମନ୍ଥନ କରାଯାଇଛି । ନବୀନ ନିବାସରେ ପାଟକୁରା ନିର୍ବାଚନ ଫଳାଫଳ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ, ପ୍ରଣବ ପ୍ରକାଶ ଦାଶ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତାପ ଦେବ କହିଛନ୍ତି ଯେ, ଆଜିର ବୈଠକରେ ପାଟକୁରା ଫଳାଫଳ ନେଇ ସମୀକ୍ଷା କରାଯାଇଥିଲା । କେଉଁ ପଞ୍ଚାୟତରୁ କେତେ ଓ କେଉଁ ବୁଥରୁ କେତେ ଭୋଟ ବିଜେଡି ପାଇଛି ସେ ନେଇ ସମୀକ୍ଷା କରାଯାଇଥିଲା । ଏହାଛଡ଼ା ଆଗକୁ କଣ କାମ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି ।
ସେପଟେ ଭୋଟ ବ୍ୟବଧାନ କାହିଁକି କମିଲା ସେ ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ପ୍ରତାପ ଦେବ କହିଛନ୍ତି ଯେ, ଭୋଟ ଭଲ ହୋଇଛି । କିଛି ଅସୁବିଧା ହୋଇନି ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ, ପୁଣି ଥରେ ରାଜ୍ୟର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ୨୦୦୦ରୁ ବିଧାନସଭା ଆସିପାରିନଥିବା ବିଜୟ ନିଜର ଶେଷ ଲଢେ଼ଇରେ ବି ପରାସ୍ତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥôନୀ ସାବିତ୍ରୀ ଅଗ୍ରୱାଲ ତାଙ୍କୁ ପ୍ରାୟ ୧୮ ହଜାର ଭୋଟରେ ପରାସ୍ତ କରିଛନ୍ତି । ଡେରାବିଶ ହେଉକି ଗରଦପୁର, ଅବା ହେଉ ମାର୍ଶାଘାଇ ସବୁଠି ବିଜେଡ଼ି ବିଜୟଙ୍କ ଠାରୁ ବେଶ କେଇପାଦ ଆଗରେ ରହିଥିଲା । ଡେରାବିଶ ବ୍ଲକରେ ବିଜେଡ଼ି ପ୍ରାୟ ୧୪ ହଜାର ଅଧିକ ଭୋଟ ପାଇଥିବାବେଳେ ବିଜୟଙ୍କ ଗରଦପୁର ଓ ମାର୍ଶାଘାଇ ଅଙ୍କ ବି ଭୁଲ ହୋଇଯାଇଛି । ନିଜର ଗଡ଼ ଗରଦପୁର ଓ ମାର୍ଶାଘାଇରୁ ଭଲ ଭୋଟ ସାଉଁଟିବାର ବିଜୟ ଯେଉଁ ଆକଳନ କରିଥିଲେ ତାହା ସମ୍ଭବପର ହୋଇପାରିନାହିଁ । ଗରଦପୁରରେ ବିଜୟ ନିଜର ଦବଦବା ଜାହିର କରିଥିଲେ ମଧ୍ୟ ସାବିତ୍ରୀଙ୍କୁ ପଛରେ ପକାଇ ପାରିନଥିଲେ । ଗାଏମୋଟ କହିଲେ ଗରଦପୁର ଓ ମାର୍ଶାଘାଇବାସୀ ବି ବିଜୟଙ୍କୁ ଧୋକ୍କା ଦେଇଥିଲେ ।

Comments are closed.