Odisha Link
Bridging the Missing Links in Odisha

ସାଇମୁନ୍‌-୨୦୧୯ ଉଦ୍‌ଘାଟିତ : ସାମିଲ ହେଲେ ଦେଶବିଦେଶର ଅତିଥି

ଚନ୍ଦ୍ରଶେଖରପୁର : ପୂର୍ବ ଭାରତର ସର୍ବବୃହତ ମଡେଲ୍‌ ୟୁନାଇଟେଡ଼୍‌ ନେସନ୍ସ(ସାଇମୁନ୍‌)ର ସପ୍ତମ ସ˚ସ୍କରଣ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ଉଦ୍‌ଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ମୁମ୍ବାଇ, ବାରଣାସୀ, ହିମାଚଳ ପ୍ରଦେଶ, ତ୍ରିଭାଦ୍ରମ୍‌, ହାଇଦ୍ରାବାଦ, ରାୟପୁର, ଅନୁଗୁଳ, ରାଉରକେଲା, ଦାମନଯୋଡ଼ି, କଟକର ପ୍ରାୟ ୩୬ଟି ସ୍କୁଲର ୬୫୦ରୁ ଅଧିକ ଜାତୀୟ ଓ ୭ଟି ଦେଶର ୧୦ରୁ ଅଧିକ ଅନ୍ତର୍ଜାତୀୟ ଅତିଥି ଯୋଗଦାନ କରିଛନ୍ତି। ଭାରତ ସମେତ ଆମେରିକା, ସାଉଦି ଆରବ, ଘାନା, ଦକ୍ଷିଣ କୋରିଆ, କାନାଡ଼ା, ଫ୍ରାନ୍ସ, ନେଦରଲାଣ୍ତ ଆଦି ଦେଶର ପ୍ରତିନିଧି ଏହି ଉତ୍ସବରେ ଭାଗ ନେଇଛନ୍ତି।
ଉତ୍ସବରେ ରାଉଣ୍ତ ସ୍କୋୟାରର ଚେୟାରମ୍ୟାନ୍‌ ରୋଡରିକ୍‌ ଡି. ଫେଜର ଏଏମ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ସାଇମୁନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ସାରା ବିଶ୍ବର ଘଟଣାଚକ୍ର ଓ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ସହ ଏହାର ସମସ୍ୟା ପାଇଁ ସର୍ବୋତ୍ତମ ନିଷ୍କର୍ସ ବାହାର କରିବାର ପ୍ରକୃଷ୍ଠ ମାଧ୍ୟମ। ଏହି କନ୍‌ଫରେନ୍ସରେ ଛାତ୍ରଛାତ୍ରୀ ଦକ୍ଷତା ଓ ଯୋଗ୍ୟତା ବଳରେ ନିଜର ପ୍ରତିଭାକୁ ପ୍ରଦର୍ଶିତ କରିବା ଦରକାର ବୋଲି କହିଥିଲେ। ଗ୍ଲୋବାଲ୍‌ ଡାଇମେନସନ୍‌ର ଟ୍ରେନର ସୁମେର ବାହାଦୂର ସି˚ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଏଥିରେ ଦେଶ ବିଦେଶର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବବିନିମୟ ହେବା ସହ ଏହିପରି କାର୍ଯ୍ୟକ୍ରମ ଉତ୍କୃଷ୍ଟ ସମାଜ ଗଠନରେ ସହାୟକ ହୋଇପାରିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥାଏ ବୋଲି କହିଥିଲେ। ସ୍କୁଲର ପ୍ରିନ୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.