Odisha Link
Bridging the Missing Links in Odisha

ବିଧାନସଭାକୁ ସବୁ ବିଧାୟକ ଧୋତି ପିନ୍ଧି ଆସିବାକୁ ଦାବି କଲେ ତାରା

ଭୁବନେଶ୍ବର : ଏଥର ବିଧାନସଭାକୁ ସବୁ ବିଧାୟକ ଧୋତି ପିନ୍ଧି ଆସିବା ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି। ଅପରାହ୍ନ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ସଂପର୍କରେ ଆଲୋଚନା ଚାଲିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ଦାବି ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାରାଙ୍କ ଏହି ଦାବିର ଉତ୍ତର ରଖିଥିଲେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଥିଲେ ଯେ, ପ୍ରଥମେ ତାରା ଧୋତି ପିନ୍ଧି ଆସିବା ଆରମ୍ଭ କରନ୍ତୁ ତାପରେ ଅନ୍ୟମାନଙ୍କ କଥା ଦେଖାଯିବ । ତାରା ଏଭଳି ଦାବି କରିବା ପଛରେ ମଧ୍ୟ ଯଥେଷ୍ଟ କାରଣ ରହିଥିଲା ।
ଆଜି ପୂର୍ବାହ୍ନ ଅଧିବେଶନରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବକୁଳବନ ବିଶ୍ବବିଦ୍ୟାଳୟକୁ ସରକାର ଉପଯୁକ୍ତ ଧ୍ୟାନ ଦେଉନଥିବା ପ୍ରସଙ୍ଗ ଉଠାଇଥିଲେ । ଏ ପ୍ରସଙ୍ଗରେ ଆଲୋଚନା ବେଳେ ଧୋତି ପିନ୍ଧୁଥିବା ନେତାଙ୍କୁ ଗୁରୁତ୍ବ ଦିଆଯାଉନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ଗୋପବନ୍ଧୁ ଓ ମଧୁସୂଦନଙ୍କ ଭଳି ନେତାମାନେ ଧୋତି ପିନ୍ଧୁଥିବାରୁ ସେମାନଙ୍କ ଅବର୍ତ୍ତମାନରେ ମଧ୍ୟ ସେମାନେ ଅବହେଳିତ ବୋଲି ନରସିଂହ କହିଥିଲେ ।
ଧୋତି ହେଉଛି ପୁରୁଷମାନଙ୍କ ପାଇଁ ଓଡିଶାର ପାରମ୍ପରିକ ପରିଧାନ । ତେଣୁ ଧୋତି ପିନ୍ଧିବା କିଛି ଅସମ୍ମାନର କଥା ନୁହେଁ ବୋଲି ବିଧାନସଭା ପରେ ବହୁ ବିଧାୟକ ଅନୌପଚାରିକଭାବେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।ତେବେ ତାରାଙ୍କ ଏହି ଦାବି ନେଇ ବାଚସ୍ପତି କେତେ ଗୁରୁତ୍ବର ସହ ବିଚାର କରୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଆଜି ଅନ୍ୟ ଦିନ ଅପେକ୍ଷା ଭିନ୍ନ ଅବତାରରେ ଆସିଥିଲେ । ତାରା ପୁରା ଏକ୍ସିକ୍ୟୁଟିଭ ଷ୍ଟାଇଲ୍ ରେ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ବିଧାନସଭାକୁ ଆସିଥିଲେ ।

Comments are closed.