Odisha Link
Bridging the Missing Links in Odisha

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଅରୁଣ-ନରସିଂହ ମୁହାଁମୁହିଁ

ଭୁବନେଶ୍ବର : ଗୃହରେ ଚାଷୀ ଆତ୍ମହତ୍ୟାକୁ ନେଇ ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଚାଷୀଙ୍କ ପାଇଁ ଉଭୟେ ଉଭୟଙ୍କୁ ଆକ୍ଷେପ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ପେଟକୁ ଦାନା ଯୋଗାଉଥିବା ଚାଷୀକୂଳଙ୍କ ସ୍ଥିତି ଏବେ ସଙ୍ଗୀନ । କେତେବେଳେ ନିଅଣ୍ଟିଆ ବର୍ଷା ତ ଆଉ କେତେବେଳେ ରୋଗପୋକ ଚାଷୀ ଉପରେ ଦାଉ ସାଧୁଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ଯୋଜନାମାନ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଜି ଗୃହରେ ପୁଣି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା । ବିରୋଧୀ କହୁଛନ୍ତି, ରାଜ୍ୟ ସରକାର ଗୃହରେ ସଠିକ ଉତ୍ତର ଦେଉନାହାନ୍ତି । ଅନ୍ୟପଟେ ଚାଷୀଙ୍କୁ ନେଇ ଅଯଥା ରାଜନୀତି କରାଯାଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।
କୃଷକଙ୍କ ପ୍ରତି ଯତ୍ନବାନ୍ ସରକାର । ଗୃହରେ କୃଷି ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଆଉ ଏକଥା ବାରମ୍ବାର ଗୃହରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୃଷି ଯନ୍ତ୍ରପାତିରେ ୫୦ ପ୍ରତିଶତ ସବସିଡ଼୍ ଯୋଗାଇ ଦିଆଯାଉଛି । କେବଳ ଏତିକି ନୁହେଁ ସାର, ବିହନ ଆଦିରେ ମଧ୍ୟ ସବସିଡ଼ି ପ୍ରଦାନ କରାଯାଉଛି । କୃଷକମାନେ କିପରି ଆଧୁନିକ ଜ୍ଞାନକୌଶଳ ଆପଣାଇପାରିବେ ସେଥିପାଇଁ କୃଷିମେଳା, କୃଷି ମହୋତ୍ସୋବର ଆୟୋଜନ କରାଯାଉଛି । ଚାଷୀ କୂଳ ପାଇଁ କାଳିଆ ପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଚାଷୀ ଆତ୍ମହତ୍ୟାର କାରଣ ମଧ୍ୟ ଖୋଜାଚାଲିଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଉଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ସବିଶେଷ ବିବରଣୀ ରଖାଯାଇଛି । ଚାଷ ଓ ଚାଷୀଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇସାରିଛି । ତଥାପି ଦୁର୍ଭାଗ୍ୟବଶତଃ ଚାଷୀକୂଳଙ୍କୁ ନେଇ ଅଯଥା ରାଜନୀତି କରାଯାଉଛି । ବିରୋଧୀଙ୍କୁ ଆକ୍ଷେପ କରି କୃଷିମନ୍ତ୍ରୀ କହିଛନ୍ତି, ଚାଷୀକୂଳ ଅଘଟଣର ଶିକାର ହୁଅନ୍ତୁ ।

Comments are closed.