Odisha Link
Bridging the Missing Links in Odisha

ଶ୍ରୀନଗରରେ ୧୪୪ ଧାରା, ଓମାର-ମୁଫ୍‌ତି ଗୃହବନ୍ଦୀ

ଶ୍ରୀନଗର: ଦିନକୁ ଦିନ ଜମ୍ମୁକଶ୍ମୀରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏସବୁକୁ ନଜରରେ ରଖି କଶ୍ମୀରରେ କ୍ରିମିନାଲ ପ୍ରୋସିଜିଓର କୋଡର ଧାରା ୧୪୪ ଅନୁଯାୟୀ କଟକଣା ଲାଗୁ ହୋଇଛି। ଫଳରେ ଏକାସାଙ୍ଗରେ ୪ ଜଣ ବ୍ୟକ୍ତି ଏକାଠି ହେବା ନିଷେଧ କରାଯାଇଛି। ସମଗ୍ର ଶ୍ରୀନଗର ସହରରେ ଲୋକଙ୍କ ଚଳପ୍ରଚଳରେ କଟକଣା ଲାଗୁହେବା ପରେ ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ କରାଯାଇଛି। ଏତଦବ୍ୟତୀତ ବିଚ୍ଛିନ୍ନତାବାଦୀ ନେତା ସାଜଦ୍‌ ଲୋନ୍‌ ଏବଂ ଅନ୍ୟ କିଛି ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ଏବଂ ଗିରଫ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି। ଜନସଭା ଏବଂ ରାଲି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ପ୍ରଥମେ ଶ୍ରୀନଗର ପରେ ଜମ୍ମୁରେ ମଧ୍ୟ କଟକଣା ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ସକାଳ ୬ଟାରୁ ଏହା ଲାଗୁ ହୋଇଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ଶ୍ରୀନଗରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲାଗୁ ହୋଇଥିବାରୁ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଘରୁ ବାହାରିବାକୁ ଅନୁମତି ଦିଆଯିବନି। ନିଜେ ପୂର୍ବତନ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଏନେଇ ସୂଚନା ଦେଇ କହିଛନ୍ତି, ମୋତେ ଲାଗୁଛି ଆଜି ମଧ୍ୟ ରାତ୍ରିରୁ ମୋତେ ଗୃହବନ୍ଦୀ କରାଯିବ। ଅନ୍ୟ ନେତାମାନଙ୍କ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହା ସତ କି ନା ଜାଣିବାର କିଛି ଉପାୟ ନାହିଁ। ସେ ଏହି ଟ୍ୱିଟ୍‌ରେ ଲୋକଙ୍କୁ ଶାନ୍ତ ରହିବାକୁ ଏବଂ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅତିରିକ୍ତ ଭାବେ ଜମ୍ମୁକଶ୍ମୀର ଆସିଥିବା ସୁରକ୍ଷା କର୍ମୀମାନଙ୍କୁ ବର୍ତ୍ତମାନ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରାଯାଇଛି। ଶ୍ରୀନଗରକୁ ପ୍ରବେଶ ଏବଂ ପ୍ରସ୍ଥାନ ଆଦି ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। କୌଣସି ଅଘଟଣ ଏବଂ ହିଂସାକାଣ୍ଡର ସମ୍ଭାବନା ପାଇଁ ଦଙ୍ଗା ନିୟନ୍ତ୍ରଣକାରୀ ଯାନ ମଧ୍ୟ ମହଜୁଦ ରଖାଯାଇଛି।

ଜମ୍ମୁକଶ୍ମୀରବାସୀଙ୍କୁ ନିଯୁକ୍ତି, ଜମି ମାଲିକାନା ଏବଂ ନାଗରିକତ୍ୱ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ଅଧିକାର ଦେଇ ଆସୁଥିବା ୩୫ଏ ଧାରା ଏବଂ ରାଜ୍ୟର ଶାସନକୁ ଅତିରିକ୍ତ କ୍ଷମତା ଦେଥିବା ୩୭୦ ଧାରାକୁ କେନ୍ଦ୍ର ପ୍ରତ୍ୟାହାର ବା ପରିବର୍ତ୍ତନ କରିବା ନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ସୁରାକ ଯୋଗାଉଛି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ୍‌ ବୈଠକ। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରି ସୁରକ୍ଷା ବାବଦରେ ସମୀକ୍ଷା କରିଛନ୍ତି।

Comments are closed.