Odisha Link
Bridging the Missing Links in Odisha

ରୋହିତଙ୍କ ନୂଆ ରେକର୍ଡ଼, ଟି-୨୦ କ୍ରିକେଟର ନୂଆ ସିକ୍ସର କିଙ୍ଗ୍‌

ଲାଉଡରହିଲ୍: ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ ଡିଏଲ ନିୟମରେ ୨୨ ରନରେ ବିଜୟୀ ଲାଭ କରିଛି। ଏଥିସହିତ ଟି-୨୦ ସିରିଜକୁ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ୨-୦ରେ ସିରିଜରେ ଆଗୁଆ ରହିଛି। ଆସନ୍ତାକାଲି ଅନ୍ତିମ ମ୍ୟାଚ ଖେଳାଯିବ। ଅପରପକ୍ଷେ ଟିମ୍ ଇଣ୍ଡିଆ ଉପ-ଅଧିନାୟକ ରୋହିତ୍ ଶର୍ମା ଟି-୨୦ରେ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ଛକା ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏତଦବ୍ୟତୀତ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୨୪୦୦ ରନ୍ କରିଛନ୍ତି।

ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ରୋହିତ୍ ୬୭ ରନ୍ କରି ଆଉଟ୍ ହୋଇଥିଲେ। ନିଜର ଏହି ଇନିଂସରେ ରୋହିତ୍ ୬ ଚୌକା ଓ ୩ଟି ଛକା ମାରିଥିଲେ। ଭାରତ ଇନିଂସର ଏକାଦଶ ଓଭରରେ ରୋହିତ୍ ସୁନୀଲ ନାରିନଙ୍କ ବଲରେ ଛକା ମାରିବା ସହ ରୋହିତ୍ କ୍ରିସ୍ ଗେଲଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ। ୩୨ ବର୍ଷୀୟ ରୋହିତ୍ ଟି-୨୦ରେ ମୋଟ ୧୦୭ ଛକା ମାରିଛନ୍ତି। ଏହି ମାମଲାରେ ଗେଲ୍ ୧୦୫ଟି ଛକା ସହ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଗେଲଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ୧୦୩ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।

ରୋହିତଙ୍କ ନାମରେ ଟି-୨୦ରେ ସର୍ବାଧିକ ରନର ରେକର୍ଡ ମଧ୍ୟ ରହିଛି। ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ୨୪୦୦ରୁ ଅଧିକ କରିଛନ୍ତି। ତାଙ୍କ ନାମରେ ଏପର୍ଯ୍ୟନ୍ତ ୯୬ ମ୍ୟାଚର ୮୮ ଇନିଂସରେ ୩୨.୭୨ ହାରରେ ୨୪୨୨ ରନ୍ ରହିଛି। ରୋହିତ୍ ଏପର୍ଯ୍ୟନ୍ତ ୪ ଶତକ ଏବଂ ୧୭ ଅର୍ଦ୍ଧଶତକ ମାରିଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜରେ ଗେଲ୍ ଖେଳୁନାହାନ୍ତି, କାରଣ ଏହି ଫର୍ମାଟ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ସେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ।

Comments are closed.