Odisha Link
Bridging the Missing Links in Odisha

ଆଜି ଶ୍ରାବଣ ତୃତୀୟ ସୋମବାର : ଭୋଳାବାବାଙ୍କ ମସ୍ତକରେ ଜଳଲାଗି କରୁଛନ୍ତି ଭକ୍ତ

ଭୁବନେଶ୍ବର : ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ସମସ୍ତ ଶୈବପୀଠ। ମହାପ୍ରଭୁ ଲିଙ୍ଗରାଜ, ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ । କାଉଡ଼ିଆଙ୍କ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡ଼ରେ ସେବା ଯୋଗାଇ ଦିଆଯାଉଛି।
ପୂର୍ବରୁ କେବଳ ପୁରୁଷ ମାନେ ହିଁ ଶହ ଶହ କିଲୋମିଟର ଦୀର୍ଘ ପଥ ଚାଲି ଚାଲି ପାଣି ନେଇ ଶୈବ ପୀଠକୁ ଯାଉଥିଲେ। ଏବେ କିନ୍ତୁ କଟକ ଗଡଗଡିଆ ଘାଟକୁ ଗଲେ ଏ ଟ୍ରେଣ୍ଡରେ ପରିର୍ତ୍ତନ ହେବା ସ୍ପଷ୍ଟ ବାରିହେଇ ପଡୁଛି। ପୁରୁଷଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟାରେ ମହିଳା କାଉଡିଆ ବି ମହାନଦୀର ଏହି ପବିତ୍ର ଘାଟରୁ ଜଳ ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି। ଶିବ ଭକ୍ତି ହିଁ ଏହି ନାରୀ ମାନଙ୍କୁ ଘରୁ ଗୋଡ କାଢି ଖରା ବର୍ଷାରେ ଶହ ଶହ କିଲୋମିଟର ଚାଲି ଚାଲି ଯିବା ପାଇଁ ପ୍ରେରଣା ଦେଇଛି ବୋଲି କହନ୍ତି ଏହି ମହିଳା କାଉଡିଆମାନେ।
ଚଳିତ ବର୍ଷ ଗଡଗଡିଆ ଘାଟରେ ଏକାଠି ହୋଇଥିବା କାଉଡିଆଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ମହିଳା କାଉଡିଆ ରହିଛନ୍ତି। ବିଭିନ୍ନ ମାନସିକ ପୂରଣ ପାଇଁ ଓ କିଛିଜଣଙ୍କ ମାନସିକ ପୂରଣ ହୋଇଥିବାରୁ ମହିଳା ମାନେ ଗଡଗଡିଆ ଘାଟରୁ ପାଣି ଉଠାଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାଉଥିବା କହିଛନ୍ତି। ମହିଳା କାଉଡିଆଙ୍କ ସଂଖ୍ୟା ବଢିବାକୁ ଓ ରାତିରେ ଏମାନେ ଦୀର୍ଘ ପଥ ଚାଲି ଚାଲି ଯାଉଥିବାରୁ ମହିଳା ପୋଲିସ୍ ଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ବି କଡା କଡି କରିବାକୁ ଦାବି ହୋଇଛି ।

Comments are closed.