Odisha Link
Bridging the Missing Links in Odisha

ସୌମ୍ୟରଂଜନ ଗଢ଼ିଲେ ‘ସାମନ୍ତ ବାହିନୀ’

ପୁରୀ: ନିର୍ବାଚନ ପରଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁ ବାହିନୀ ନିଖୋଜ ଥିବା ବେଳେ ବେସରକାରୀ ଉଦ୍ୟମରେ ଆଉ ଏକ ବାହିନୀ ଗଠିତ ହୋଇଛି। ବିଜୁ ଜନତା ଦଳ ନେତା, ଖଣ୍ଡପଡ଼ା ବିଧାୟକ, ପୂର୍ବତନ ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ସାମନ୍ତ ବାହିନୀ’ ନାମରେ ଏକ ସଂଗଠନ ତିଆରି କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତି ସାମନ୍ତ ବାହିନୀର ସଦସ୍ୟତା ଗ୍ରହଣ କରିଥିବା ବେଳେ ଆଗକୁ ଅଧିକ ବ୍ୟକ୍ତି ଯୋଗ ଦେବାର ସମ୍ଭାବନା ରହିଛି।

ଗତକାଲି ପୁରୀର ଏକ ହୋଟେଲରେ ସାମନ୍ତ ବାହିନୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ନୂଆ ସଂଗଠନ ଖଣ୍ଡପଡ଼ାରେ ରାଜନୈତିକ ଓ ସାମାଜିକ ସଂସ୍କାର ଦିଗରେ କାର୍ଯ୍ୟ କରିବ। ରାଜନୀତିକୁ ସେ ଶ୍ରେଷ୍ଠ ନୀତି କହିଥିବା ବେଳେ ଏହାକୁ କେହି ଘୃଣା ନ କରିବାକୁ ଆହ୍ବାନ ଦେଇଛନ୍ତି। ଖଣ୍ଡପଡ଼ା ତଥା ଦେଶର ଯୋଗ୍ୟତମ ସନ୍ତାନ ସାମନ୍ତ ଚନ୍ଦ୍ରଶେଖରଙ୍କ ପାରଦର୍ଶିତା ଓ ତ୍ୟାଗକୁ ମନେପକାଇ ତାଙ୍କର ଦାୟାଦ ଭାବେ ବାହିନୀର ସଦସ୍ୟମାନେ ଖଣ୍ଡପଡ଼ାକୁ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବେ ଗଢ଼ିବାକୁ ଆହ୍ବାନ ଦେଇଛନ୍ତି ସୌମ୍ୟରଂଜନ।

ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନରେ ୫ଟି ଟିକୁ ଗୁରୁତ୍ବ ଦେଉଥିବା ବେଳେ ସମ ଭାବରେ ସୌମ୍ୟରଂଜନ ସାମନ୍ତ ବାହିନୀକୁ ୫ଟି ‘ନି’କୁ ଦୈନନ୍ଦିନ ଜୀବନରେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ସୌମ୍ୟରଂଜନଙ୍କର ୫ଟି ‘ନି’ ହେଲା ନିରୋଗ, ନିରହଂକାର, ନିଷ୍ଠାପର, ନିଡର ଓ ନିଶାମୁକ୍ତ।

ତେବେ ସାମନ୍ତ ବାହିନୀର ଉପଦେଷ୍ଠା, ସଭାପତି, ଉପସଭାପତି, ସଂପାଦକ, କୋଷଧ୍ୟକ୍ଷ ଆଦି ବିଭିନ୍ନ ପଦବୀରେ ପ୍ରାୟ ୩୦ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ନିଜେ ଶ୍ରୀ ପଟ୍ଟନାୟକ କୌଣସି ପଦପଦବୀରେ ରହିନାହାନ୍ତି।

ସୌମ୍ୟରଂଜନଙ୍କର ଏ ନୂଆ ସଂଗଠନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ବେଳେ ନିଜ ଦଳ ବିଜେଡିରେ ଶକ୍ତି ପ୍ରଦର୍ଶନ ପାଇଁ ଏହା ତାଙ୍କର ଏକ ସମାନ୍ତରାଳ ସଂଗଠନ ବୋଲି କେହି କେହି ସମୋଲାଚନା କରୁଛନ୍ତି। ସରକାରଙ୍କ ବିଜୁ ଯୁବ ବାହିନୀ ଖଣ୍ଡପଡ଼ା ସମେତା ସାରା ରାଜ୍ୟରେ ଏକ ପ୍ରକାର ଶୀତସୁପ୍ତିରେ ଥିବାବେଳେ ସୌମ୍ୟରଂଜନଙ୍କ ସାମନ୍ତ ବାହିନୀ ଯୁବ ପିଢ଼ିକୁ ଆକର୍ଷିତ କରିବାରେ ସମର୍ଥ ହେବ ବୋଲି ଚର୍ଚ୍ଚା ହେଉଛି।

Comments are closed.