ଆମେରିକାରେ ହିଂସାତ୍ମକ ମୁଦ୍ରାରେ ଗାନ୍ଧିଜୀ!

ସାନ୍ଫ୍ରାନ୍ସିସ୍କୋ: ଭାରତର ଜାତିର ଜନକ ତଥା ସତ୍ୟ ଓ ଅହିଂସାର ନବ ଭାଷ୍ୟକାର ଭାବେ ସାରା ବିଶ୍ବରେ ପରିଚିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ବିକ୍ୟତ କରିଦେଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ସାନ୍ଫ୍ରାନ୍ସିସ୍କୋ ସହରରେ।
୧୯୮୮ ମସିହା ଠାରୁ ଏଠାରେ ନିର୍ମିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଖିରେ କେହି ଲାଲ୍ ରଙ୍ଗର ଏଲଇଡି ଆଲୁଅ ଲଗାଇଦେଇଛି। ଏହି ଲାଲ୍ ଆଲୋକ ଲାଗିବା ପରେ ସତ୍ୟ ଓ ଅହିଂସାର ପ୍ରତୀକ ଗାନ୍ଧିଜୀଙ୍କ ଚେହେରା ହିଂସାତ୍ମକ ଓ ଭୟଙ୍କର ଦେଖାଯାଉଛି।
ସୋସିଆଲ ମିଡିଆ ରାଡିଟ୍ରେ ଏହି ଫଟୋ ଛଡ଼ାଯାଇଛି। ଅନ୍ୟ ଏକ ଫଟୋରେ କେହି ଅଜଣା ଦୂର୍ବୃତ୍ତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଚଢ଼ୁଥିବାର ଚିତ୍ର ରହିଛି।
ଏଭଳି ଘଟଣାକୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ସାନ୍ଫ୍ରାନ୍ସିସ୍କୋ ସହରର ଏ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ବହୁବାର ଦୁର୍ବୃତ୍ତଙ୍କ ଆକ୍ରୋଶର ଶିକାର ହୋଇଛି। ଏପରିକି ଏକାଧିକ ଥର ଗାନ୍ଧିଜୀଙ୍କ ଏହି ମୂର୍ତ୍ତିରୁ ଚଷମା ଚୋରି ହେବାର ଉଦାହରଣ ରହିଛି।