Odisha Link
Bridging the Missing Links in Odisha

ଝିଅଙ୍କ ବିବାହ ପାଇଁ ନ୍ୟୂନତମ ବୟସ ୨୧ ହେଉ: ଅଶ୍ବିନୀ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସର ନ୍ୟୂନତମ ସମୟ ସୀମା ୧୮ ପରିବର୍ତ୍ତେ ୨୧ ହେଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮ ରହିଥିବା ବେଳେ ପୁଅଙ୍କର ୨୧ ରହିଛି। ଏହା ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ସମାନତା, ସ୍ୱତନ୍ତ୍ରତା ଏବଂ ଗରିମାର ଉଲ୍ଲଂଘନ କରୁଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଂଘନ କରୁଛି।

ସେ ଆହୁରି କହିଛନ୍ତି ଜଣେ ପୁଅ ଓ ଝିଅ ମଧ୍ୟରେ ବିବାହ ପାଇଁ ନ୍ୟୂନତମ ବୟସ ସୀମା ସରକାର ଯାହା ରଖିଛନ୍ତି ତାହା ଝିଅଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବାଧକ ସାଜୁଛି। ବିନା କୌଣସି ବିଶେଷଜ୍ଞଙ୍କ ପରାମର୍ଶରେ ବିବାହ ପାଇଁ ଏଭଳି ବୟସସୀମା ଧାର୍ଯ୍ୟ କରାଯାଇଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। କୋର୍ଟଙ୍କୁ ଅବଗତ କାରାଇ ଉପାଧ୍ୟାୟ କହିଛନ୍ତି ଦୁନିଆର ୧୨୫ରୁ ଅଧିକ ଦେଶରେ ମହିଳା ଏବଂ ପୁରୁଷଙ୍କ ବିବାହ ପାଇଁ ସମାନ ବୟସ ଧାର୍ଯ୍ୟ କରାଯାଇଛି। ଭାରତରେ ମଧ୍ୟ ଏନେଇ ଅନେକ ଦାବି ହୋଇଛି। ନ୍ୟାସନେଲ ହ୍ୟୁମନ ରାଇଟ୍‌ସର କମିଶନ ଗତ ବର୍ଷ ଅଗଷ୍ଟ ୨୯-୩୦ ତାରିଖରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ସେମିନାରରେ ବିବାହ ପାଇଁ ପୁଅ ଏବଂ ଝିଅଙ୍କ ବସୟସୀମା ସମାନ କରିବା ନେଇ ଯୁକ୍ତି କରିଥିଲେ।

ଉପାଧ୍ୟାୟ ଆବେଦନରେ WHOର ରିପୋର୍ଟକୁ ମଧ୍ୟ ଦର୍ଶାଇଛନ୍ତି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ମହିଳାମାନେ ୨୦ବର୍ଷ ପୂର୍ବରୁ ଗର୍ଭବତୀ ହୁଅନ୍ତି, ସେହି ମହିଳା ଏବଂ ତାଙ୍କ ନବଜାତ ଶିଶୁ କମ ଓଜନ ହେବା ସହ ଅନେକ ଶାରିରୀକ ମସସ୍ୟାର ସାମ୍ନା କରିଥାନ୍ତି। ଯାଚିକାରେ ଝିଅଙ୍କ ବିବାହ ବୟସ ୨୧ ବର୍ଷ କରିବାକୁ ଦାବି କରାଯାଇଛି।

Comments are closed.