Odisha Link
Bridging the Missing Links in Odisha

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିସହିତ ଟିମ୍‌ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟେଷ୍ଟ କ୍ରିକେଟର ନୂଆ ନିୟମ ଅନୁସାରେ ଟିମ୍‌ ଇଣ୍ଡିଆ ଆଜି ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ଟିମ୍‌ ଇଣ୍ଡିଆ ଖେଳାଳିମାନେ ଆଜି ପ୍ରଥମ ଥର ପାଇଁ ନମ୍ବର ଏବଂ ନାଁ ଥିବା ଜର୍ସି ପିନ୍ଧି ଟେଷ୍ଟ କ୍ରିକେଟ୍ ଖେଳିବେ। ଏହାର ଝଲକ ବୁଧବାର କୋହଲି ବାହିନୀ ନିଜ ପ୍ରଶଂସକମାନଙ୍କୁ ଦେଇଛି।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଅନୁସାରେ ଅଧିନାୟକ ବିରାଟ କୋହଲି ୧୮ ନମ୍ବର ଜର୍ସି ପିନ୍ଧିବେ। ସେହିଭଳି ଚେତେଶ୍ବର ପୂଜାରାଙ୍କ ପିଠିରେ ୨୫ ନମ୍ବର ଦେଖିବାକୁ ମିଳିବ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ୩, ରୋହିତ ଶର୍ମା ୪୫, ରବୀନ୍ଦ୍ର ଜାଦେଜା ୮, ଆର ଅଶ୍ବିନ ୯୯, ଈଶାନ୍ତ ଶର୍ମା ୯୭, ଋଷବ ପନ୍ତ ୧୭, ହନୁମା ବିହାରି ୪୪ ନମ୍ବର ପାଇଛନ୍ତି।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସମ୍ମାନ ଜଣାଇ କୌଣସି ଖେଳାଳିଙ୍କୁ ୧୦ ନମ୍ବର ଜର୍ସି ଦିଆଯାଇନାହିଁ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଅନ୍ତର୍ଗତ ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟରୁ ‘ଜର୍ସିରେ ନମ୍ବର ଏବଂ ନାଁ’ ଧାରା ଆରମ୍ଭ ହୋଇଛି। ବ୍ରେଟ୍ ଲି’, ସୋଏବ ଅଖତର ଓ କେଭିନ ପିଟରସନଙ୍କ ଭଳି ପୂର୍ବତନ ଖେଳାଳି କିନ୍ତୁ ଏହାକୁ ପସନ୍ଦ କରିନାହାନ୍ତି। ତେବେ ଟେଷ୍ଟ କ୍ରିକେଟକୁ ଅଧିକ ଯୁବ ସୁଲଭ କରିବା ପାଇଁ ଖେଳାଳିଙ୍କ ଜର୍ସିରେ ନମ୍ବର ଏବଂ ନାଁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଆଇସିସି କହିଛି।

Comments are closed.