Odisha Link
Bridging the Missing Links in Odisha

ରେଳ ଧାରଣାରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଗୋଳନ୍ଥରା ରେଳଷ୍ଟେସନ ନିକଟ ରେଳଧରଣାରୁ ମଙ୍ଗଳବାର ସକାଳେ ଏକ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି। ମୃତକଙ୍କ ପରିଚୟ ଜଣାପଡିନଥିବା ବେଳେ ମୃତଦେହ ନିକଟରୁ ଏକ ଏଟିଏମ କାର୍ଡ ଓ ରେଳ ଟିକଟ ମିଳିଛି। ପୁଲିସ ମୁଣ୍ଡକୁ ଖୋଜି ବଫଳ ହେବା ପରେ କେବଳ ଶରୀରକୁ ଜବତ କରି ବ୍ରହ୍ମପୁର ବଡମେଡିକାଲରେ ବ୍ୟବଚ୍ଛେଦ କରାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ରାତିରେ ଉକ୍ତ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଇଛି। ଶରୀରରୁ ମୁଣ୍ଡଟି ଅଲଗା ହେବା ପରେ କୌଣସି ବିଲୁଆ କିମ୍ବା କୁକୁର ତାକୁ ଖାଇବା ପାଇଁ ଅନ୍ୟତ୍ର ନେଇଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସରକାରୀ ରେଳବାଇ ଥାନାର ଏସଆଇ ଅଶୋକ ପଣ୍ଡା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡଟିକୁ ଅନେକ ଦୂର ଯାଏଁ ଖୋଜିଥିଲେ ମଧ୍ୟ ତାହା ମିଳିନଥିଲା। ତେଣୁ ଏହି ଘଟଣା ଅଧିକ ରହସ୍ୟମୟ ହୋଇ ରହିଛି। ମୁଣ୍ଡ ବିହୀନ ମୃତଦେହ ନିକଟରୁ ମିଳିଥିବା ଏଟିଏମ କାର୍ଡରେ ହରିହର ସାହୁ ବୋଲି ଲେଖା ହୋଇଛି। ରେଳଟିକଟ କଟକରୁ ବ୍ରହ୍ମପୁର ପାଇଁ କଟାଯାଇଥିବାରୁ ବ୍ୟକ୍ତି ଜଣକ ଏହି ଦୁଇ ସହରର କୋଉ ଅଞ୍ଚଳର ହୋଇ ଥାଇପାରନ୍ତି ବୋଲି ପୁଲିସ କହିଛି।

Comments are closed.