Odisha Link
Bridging the Missing Links in Odisha

ନିର୍ବାଚନ ପରେ ବଦଳିଗଲେ ମୁଖ୍ୟମନ୍ତ୍ରୀ-ଗଜପତି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁନରୁଦ୍ଧାର ପାଇଁ ହୋଇଥିଲା ଆଲୋଚନା। ହେଲେ ବିଜୟ ଲାଭ ପରେ ବଦଳିଗଲା ସରକାରଙ୍କ ଆଭିମୁଖ୍ଯ। ପୁରୀରେ ପୁରାତନ ମଠ ଭଙ୍ଗାଯିବା ନେଇ ସରକାରଙ୍କ ଦୋମୁହାଁ ଚେହେରା ଏବେ ସାମନାକୁ ଆସିଥିବା ବେଳେ ଗଜପତିଙ୍କ ନିରବତା ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୧୮ ମାର୍ଚ୍ଚ ୨୯ରେ ଗଜପତି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସଚିବାଳୟରେ ଆଲୋଚନା ହୋଇଥିଲା। ଗଜପତି ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରୀଧାମ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସମ୍ପର୍କରେ ନିଜର ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁଃପାର୍ଶର ବିକାଶ, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଶ୍ରୀ ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ମଠ ଓ ଅଠରନଳାର ବିକାଶ ଓ ସୌନ୍ଦଯ୍ୟକରଣର ସମ୍ପର୍କରେ ଗଜପତି ମୁଖ୍ୟତଃ ଆଲୋଚନା କରିଥିଲେ।

ସବୁଠୁ ବଡ଼ କଥା ହେଲା, ବର୍ତ୍ତମାନ ମାଟିରେ ମିଶି ସାରିଥିବା ଏମାର ମଠ ସମେତ ଉତ୍ତରପାର୍ଶ୍ବ ମଠ ଓ ବାମପାର୍ଶ୍ବ ମଠର ପୁନରୁଦ୍ଧାର ସହିତ ସେଠାରେ ଜଗନ୍ନାଥ ସଂସ୍କୃତି ଓ ବୈଦିକ ସଂସ୍କୃତିର ପ୍ରଚାର ପ୍ରସାର ବ୍ୟବସ୍ଥା କରାଯିବା ଉପରେ ଗଜପତି ତାଙ୍କ ଉପସ୍ଥାପନାରେ ଗୁରୁତ୍ବ ଆରୋପ କରିଥିଲେ। ସେହିପରି କେବଳ ରଥଯାତ୍ରା ସମୟରେ ମାସକ ପାଇଁ ବ୍ୟବହାର ହେଉଥିବା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ କିପରି ବର୍ଷ ବ୍ୟାପୀ ଭକ୍ତ ମାନେ ଯାଇପାରିବେ, ତାକୁ ଦୃଷ୍ଟିରେ ରଖି ସେ ସ୍ଥାନର ବିକାଶ ଉପରେ ମଧ୍ୟ ଗଜପତି ଆଲୋାଚନା କରିଥିଲେ। ସହରର ମୁଖ୍ୟ ପ୍ରବେଶ ଦ୍ବାର ଅଠରନଳାର ସୌନ୍ଦର୍ଯ୍ୟକରଣ ସହିତ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ଉଦ୍ୟାନ, ପାର୍କିଂ, ଇଣ୍ଟରପ୍ରିଟେସନ ସେଣ୍ଟର ସହିତ ପର୍ଯ୍ୟଟକ ତଥା ଭକ୍ତ ମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ସମ୍ପର୍କରେ ଉପସ୍ଥାପନାରେ ଆଲୋଚନା କରାଯାଇଥିଲା।

ଜଗନ୍ନାଥ ଧାମର ବିକାଶ ପାଇଁ ଗଜପତିଙ୍କ ଏସବୁ ପ୍ରସ୍ତାବ ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ଧନ୍ୟବାଦ ଜଣାଇବା ସହିତ ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ବେଳେ ତତ୍କାଳୀନ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି, ମନ୍ତ୍ରୀ ପ୍ରତାପ ଜେନା, ସେତେବେଳର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଆଇନ ବିଭାଗର ମୁଖ୍ୟ ସଚିବ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ତେବେ ୧ବର୍ଷ ୫ମାସ ପରେ ଅର୍ଥାତ୍ ନିର୍ବାଚନରେ ବିଜୟ ପରେ ବଦଳିଗଲା ସରକାରଙ୍କ ଆଭିମୁଖ୍ୟ। ସେତେବେଳେ ଏମାର ମଠର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରଖାଯାଇଥିଲା, ହେଲେ ସରକାର ମଠକୁ ମାଟିରେ ମିଶାଇଦେଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ପୁନରୁଦ୍ଧାର ଓ ସଂସ୍କୃତି ପ୍ରଚାରର ପ୍ରସ୍ତାବ ଦେଇଥିବା ଗଜପତି ମଧ୍ୟ ଏ ବାବଦରେ ଥରଟିଏ ପାଟି ଖୋଲିଲେ ନାହିଁ। ଅପରପକ୍ଷେ ସେତେବେଳେ ଆଲୋଚନାରେ ଉପସ୍ଥିତ ଥିବା ମନ୍ତ୍ରୀ ମହେଶ୍ବର ମହାନ୍ତି, ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି। ଏଥିସହ ବିରୋଧୀ ଦଳ ଓ ବର୍ତ୍ତମାନର ସ୍ଥାନୀୟ ବିଧାୟକ ମଧ୍ୟ ଯେଉଁ ଭଳି ବିରୋଧ କରିବା କଥା ତାହା କଲେନାହିଁ।

Comments are closed.