ପି.ଚିଦାମ୍ବରମ୍: ତିହାର ଜେଲରେ କେମିତି କାଟିଲେ ପ୍ରଥମ ରାତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ନୂଆ ଠିକଣା ତିହାର ଜେଲ୍। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯାଇଛନ୍ତି ପି.ଚିଦାମ୍ବରମ୍। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ ଦେଶର ଏହି ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ତିହାର ଜେଲରେ କିପରି ପ୍ରଥମ ରାତି କାଟିଲେ ତାହା ଏବେ ସାମ୍ନାକୁ ଆସିଛି।
ଗୁରୁବାର ସନ୍ଧ୍ୟାରେ ଚିଦାମ୍ବରମଙ୍କୁ ତିହାର ଜେଲ ନିଆଯାଇଥିଲା। ତିହାର ଜେଲର ଓ୍ବାର୍ଡ ନଂ ୭ରେ ପ୍ରଥମ ରାତି କାଟିଥିଲେ ଚିଦାମ୍ବରମ। ୱାର୍ଡ ନଂ ୭ରେ ପ୍ରଥମ ରାତି କେମିତି କାଟିଲେ, ସେକଥା ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ତିହାର ଜେଲକୁ ଯିବା କ୍ଷଣି ଚିଦାମ୍ବରମ ପୂରା ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସେ ରାତି ତମାମ କେବଳ ବସି ରହିଥିଲେ। ଆଦୌ ଶୋଇ ନଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗୋଟିଏ ତିକିଆ ଓ ଚାଦର ଦେଇଥିଲେ। ହେଲେ ସେ ଏହାକୁ ବ୍ୟବହାର କରି ନଥିଲେ। ସେହିପରି ସେଲ୍ରେ ଥିବା ପାଣି ପାତ୍ରରୁ ଚିଦାମ୍ବରମ ଆଦୌ ପାଣି ପାଇ ନଥିଲେ। ସେ ପ୍ୟାକେଜଡ ପାଣି କିଣି ପିଇବାକୁ ଚାହିଁଥିଲେ। ଜେଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ଏହା ଯୋଗାଇ ଦେଇଥିବା ଜଣାପଡ଼ିଛି।
ନିୟମ ଅନୁଯାୟୀ, ଆଜି ସକାଳ ୬ଟାରୁ ହିଁ ଚିଦାମ୍ବରମଙ୍କୁ ଜଳଖିଆ ଦିଆଯାଇଥିଲା। ପ୍ରଥମେ ଚା’ ତା’ ପରେ ଜେଲ ମେନ୍ୟୁରେ ଥିବା ରୁଟି, ପୋହା ଓ ଚୁଡ଼ା ଗୁଣ୍ଡ ଦିଆଯାଇଥିଲା। ଜେଡ୍ ସୁରକ୍ଷା ପାଉଥିବା ଚିଦାମ୍ବରମଙ୍କୁ ତିହାର ଜେଲରେ କୌଣସି ସ୍ୱତନ୍ତ୍ର ସୁବିଧାସୁଯୋଗ ଗତକାଲି ଦିଆଯାଇ ନାହିଁ। ତେବେ ସେ ଚାହିଁଲେ ନିଜ ସେଲ୍ ବାହାରେ ଚଲାବୁଲା କରିପାରିବେ ଓ ତାଙ୍କ ସେଲକୁ ଦିଆଯାଉଥିବା ଖବରକାଗଜ ପଢ଼ିପାରିବେ ବୋଲି ପ୍ରକାଶ ପାଇଛି।