ପୁଣି ଆସିବ ପୋସ୍କୋ !

ଭୁବନେଶ୍ୱର: ଆଜି କୋରିଆ ରାଷ୍ଟ୍ରଦୂତ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲା। କୋରିଆ ନିବେଶକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର କୋରିଆ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ସେ କହିଛନ୍ତି ଯେ, ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା କରାଯାଇଛି। ଇଲେକଟ୍ରୋନିକ୍ସ, ପେଟ୍ରୋଲିୟମ ଏଣ୍ଡ ପେଟ୍ରୋ କେମିକାଲ୍ସ, ବୟନଶିଳ୍ପ, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଆଲୋଚନା କରାଯାଇଛି। ତେବେ କୋରିଆ ନିବେଶକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ। ଶିଳ୍ପ ଅନୁକୂଳ ପରିବେଶ, ଭିତ୍ତିଭୂମି ଓ ଦକ୍ଷ ମାନବ ଶକ୍ତି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ପ୍ରକାଶ ଯେ, ଓଡ଼ିଶାରେ ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ। ଏନେଇ ସୋମବାର କୋରିଆ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିଥିଲେ। ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ନେଇ ଆଶା ରଖିଛି। ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ବୋଲି ରାଷ୍ଟ୍ରଦୂତ ସିନ ବଙ୍ଗକିଲ କହିଛନ୍ତି। ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା ବୋଲି ସିନ ବଙ୍ଗକିଲ କହିଛନ୍ତି। ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା। ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରିବା ଓ ଆଗେଇବା ବୋଲି ସେ କହିଛନ୍ତି।
ଏହି ସାକ୍ଷାତପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ କୋରିଆ କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାଛଡ଼ା କିଆ ମୋଟର୍ସ ଏବଂ ସାମସଙ୍ଗ ଏବଂ ହୁଣ୍ଡାଇରେ ବି ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି କୋରିଆ। ଏହି ସାକ୍ଷାତପରେ କୋରିଆ ସହ ଓଡ଼ିଶାର ନୂଆ ସଂପର୍କ ସ୍ଥାପିତ ହେଲା ବୋଲି ସେ କହିଛନ୍ତି।ଏହାଦ୍ବାରା ଓଡ଼ିଶାର ବିକାଶ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
Comments are closed.