Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କ ଦ୍ୱାରା କବି ଅସୀମା ସାହୁଙ୍କ କବିତା ସଂକଳନ ଉନ୍ମୋଚିତ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରସ୍ୱତ ସର୍ଜନାର ଉତ୍ସ ଓ ଆଦର୍ଶ । ଶ୍ରୀଜଗନ୍ନାଥ ଚେତନାର ଦିଗ ଓ ଆବେଗର ବ୍ୟାପକତା ରହିଛି, ଯାହା ଯୁଗେ ଯୁଗେ କବିମାନଙ୍କୁ ଆକର୍ଷିତ କରିଆସିଛି । ମଣିଷ, ପ୍ରକୃତି, ଈଶ୍ୱର ଓ ବିଜ୍ଞାନ ଆମର ଚିନ୍ତା ଓ ଭାବନାକୁ ଆନ୍ଦୋଳିତ କରିଛି ଏବଂ ଏହା ଆମର ଦୃଷ୍ଟିର ବଳୟକୁ ପ୍ରସାରିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।


ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ କବି ଡ଼. ଅସୀମା ସାହୁଙ୍କ କବିତା ସଂକଳନ ‘ଇସାରାରେ ଡ଼ାକେ କିଏ ଦିଗବଳୟ ସେପାରିରୁ’କୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି ଓ ଏହାର ଭାଷା ହେଉଛି ଈଶ୍ୱରଙ୍କ ଭାଷା । ଓଡ଼ିଆ ଭାଷାର ସୁଦୀର୍ଘ ଐତିହ୍ୟ ଓ ପରଂପରା ରହିଛି । ଏହି ଭାଷାରେ ଅନେକ କାଳଜୟୀ କୃତି ଓ କୀର୍ତି ରହିଛି । ଏବେ ବି ଏହି ଭାଷା ଓ ସାହିତ୍ୟର କ୍ରିୟାଶୀଳତା ଉଲ୍ଲେଖନୀୟ ବୋଲି ରାଜ୍ୟପାଳ ମତ ବ୍ୟକ୍ତ କରିଛନ୍ତି ।
ବିଶିଷ୍ଟ ଲେଖକ ଓ ଚିନ୍ତକ ହରପ୍ରସାଦ ଦାସ ଓଡ଼ିଆ କବିତା ସଂପର୍କରେ ସୂଚନା ଦେବାସହ ସାଂପ୍ରତିକ ସାହିତ୍ୟର ଗତି ଓ ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଗାଳ୍ପିକ ତଥା ପ୍ରକାଶକ ପ୍ରକାଶ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ସାରସ୍ୱତ ସାଧକ ଉତ୍ସବରେ ଉପସ୍ଥିତ ଥିଲେ । ଶେଷରେ କବି ଡ଼. ଅସୀମା ସାହୁ ଉନ୍ମୋଚିତ କବିତା ଗ୍ରନ୍ଥରୁ କେତୋଟି କବିତା ଆବୃତ୍ତି କରିଥିଲେ ।

Comments are closed.