Odisha Link
Bridging the Missing Links in Odisha

ମୟୂରଭଞ୍ଜରେ ବବିଙ୍କୁ ବିରୋଧ!

ବାରିପଦା: ସରିଛି ସାଧାରଣ ନିର୍ବାଚନ। ହେଲେ ନିର୍ବାଚନରେ ମୟୂରଭଞ୍ଜ ବିଜେଡିକୁ ମିଳିଥିବା ପରାଜୟର ସାଇଡ୍‌ ଇଫେକ୍ଟ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ନୂତନ ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ନିଯୁକ୍ତି ପାଇବା ପରେ ଦଳରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ସୁଧାରିବାକୁ ଦମ୍ଭୋକ୍ତି ଦେଖାଇଥିଲେ। ହେଲେ ବବିଙ୍କ ସେହି ଦମ୍ଭ ଶତପ୍ରତିଶତ ସଠିକ୍‌ ନଥିବା ଜଣାପଡ଼ିଛି। କାରଣ ଖୋଦ୍‌ ବବିଙ୍କ ପାଖ ଲୋକ କୁହାଯାଉଥିବା ତଥା ବାରିପଦା ନିର୍ବାଚନମଣ୍ଡଳୀରେ ଦାୟିତ୍ବରେ ଥିବା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁଙ୍କୁ ବାରିପଦାରେ ଯେପରି ଢଙ୍ଗରେ ଜିଲ୍ଲା ବିଜେଡିର ଏକ ପଦବୀରେ ଥିବା ଜଣେ ନେତା ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ତାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ସ୍ଥାନୀୟ ଏକ ଘରୋଇ ମଣ୍ଡପରେ ବାରିପଦା ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ଏମାନଙ୍କ ସହିତ ଭୁବନେଶ୍ବରରୁ ପର୍ଯ୍ୟବକ୍ଷେକ ବବିଙ୍କ ପ୍ରତିନିଧି ଭାବେ ଆସିଥିବା ବିଧାୟକ ବାପୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ଜିଲ୍ଲା ନେତାଙ୍କ ଭାଷଣ ପରେ ମୁଖ୍ୟ ଆକର୍ଷଣ ବାପୁଙ୍କ ଭାଷଣ ବେଳେ ଘଟିଲା ଅଘଟଣ। ଜିଲ୍ଲା ବିଜେଡି ସଂପାଦକ ଦାୟିତ୍ବରେ ଥିବା ସୁଜିତ ମହାନ୍ତି ଓରଫ୍‌ କାହ୍ନୁ ବାପୁଙ୍କୁ ସିଧାସଳଖ ବାରିପଦା ବିଜେଡିରେ ସବୁକିଛି ଠିକ୍‌ ନଥିବା ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ବିଜେଡି ସଭ୍ୟ ସଂଗ୍ରହ ଅଭିଯାନରେ ତାଙ୍କୁ ସାମିଲ କରାଯାଉନଥିବା ଏବଂ ସଭ୍ୟ ସଂଗ୍ରହ ବହି ମଧ୍ୟ ପ୍ରଦାନ କରାଯାଇନଥିବା ଅମିଯୋଗ କରିଥିଲେ ଜିଲ୍ଲା ବିଜେଡି ସଂପାଦକ। ଏହା ସହିତ ଦଳରେ କେତେବେଳେ କଣ ହେଉଛି ତାହା କେହି ଜାଣିପରୁନଥିବା ଅଭିଯୋଗ କରିଥିଲେ ଶ୍ରୀ ମହାନ୍ତି। ତାଙ୍କ ସହିତ କର୍ମଶାଳାରେ ଉପସ୍ଥିତ ଆହୁରି କିଛି କର୍ମୀ ମଧ୍ୟ କାହ୍ନୁଙ୍କ ସହିତ ସ୍ବର ମିଳାଇ ଦଳରେ ସେମାନଙ୍କୁ ଉପଯୁକ୍ତ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରିଥିଲେ। ଏହାକୁ ନେି ସଭାସ୍ଥଳରେ ଅପ୍ରତିକର ପରିବେଶ ସୃଷ୍ଟି ହୋଇଥିଲା।

ପରେ ଏନେଇ ରୁଦ୍ଧଦ୍ବାର ବୈଠକରେ ଅସନ୍ତୁଷ୍ଟ ନେତାଙ୍କ ସହିତ ଆଲୋଚନା କରି ପ୍ରସଙ୍ଗକୁ ଶାନ୍ତ କରିବାକୁ ବାପୁ ଏବଂ ଦଳୀୟ ନେତାମାନେ ଚେଷ୍ଟା କରିଥିଲେ। ତେବେ ଏହି ପ୍ରସଙ୍ଗ ସମାଧାନ ହୋଇଯାଇଥିବା ପ୍ରକାଶ କରିଛନ୍ତି ବିଧାୟକ ସୁଶାନ୍ତ ରାଉତ। ଦଳର ସଭ୍ୟ ସଂଗ୍ରହ ବହି ପ୍ରଦାନ ନେଇ ରହିଥିବା ଭୁଲ୍‌ ବୁଝାମଣା ଦୂର ହୋଇଛି। ଏହାସହିତ ବୈଠକରେ ବିଭିନ୍ନ ବ୍ଲକରୁ ଆସିଥିବା ଦଳୀୟ କର୍ମୀଙ୍କ ମତାମତ ଶୁଣାଯାଇ ସମାଧାନ କରାଯାଇଛି। ଏଠାରେ ଦଳ ପୁଣି ଥରେ ଏକନମ୍ବର ହେବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ଜିଲ୍ଲା ସଦର ମହକୁମାରେ ବିଜେଡିର ସବୁକିଛି ଠିକ୍‌ ନଥିବା ପ୍ରମାଣିତ କରିଛି। ଗୋଷ୍ଠୀକନ୍ଦଳ ଏବଂ ଅସନ୍ତୋଷ ଏବେ ମଧ୍ୟ ଜାରି ରହିଥିବା ରାଜନୈତିକ ସମାଲୋଚକମାନେ ମତ ଦେଇଛନ୍ତି ବବିଙ୍କ ଆଗମନ ପରେ ମଧ୍ୟ ଏହି ପ୍ରକ୍ରିୟା ବଜାୟ ରହିଛି। ବବି ଇଫେକ୍ଟ କାମ ଦେଉନଥିବା ସ୍ପଷ୍ଟ ହୋଇଛି।

Comments are closed.