Odisha Link
Bridging the Missing Links in Odisha

ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ରଚନା ବାନାର୍ଜୀ

ଭୁବନେଶ୍ବର : ଓଡ଼ିଆ ଚଳଚିତ୍ରରେ ଅନେକ ଅଭିନେତ୍ରୀ ଆସିଛନ୍ତି ଓ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନକିଣି ନେଇଥାନ୍ତି । ସେପରି ଜଣେ ଏମିତି ଅଭିନେତ୍ରୀ ହେଉଛନ୍ତି ଯିଏ ଏବେବି ଦର୍ଶକଙ୍କ ମନ ମଧ୍ୟରେ ଅଛନ୍ତି। ସେହଉଛନ୍ତି ବଙ୍ଗିୟ ଅଭିନେତ୍ରୀ ରଚନା ବାନାର୍ଜୀ ।
ରଚନା ବାନାର୍ଜୀ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣି ଥରେ ଓଡ଼ିଶା ଇଣ୍ଡଷ୍ଟ୍ରିକୁ ଫେରିଆସିଛନ୍ତି ।ସେ ବହୁ ଓଡ଼ିଆ ଚଳଚିତ୍ରରେ ନିଖୁଣ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଉଥିଲେ । ରଚନା ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ପରି ପରଦାରେ ତୋଳି ଧରୁଛନ୍ତି। ଦର୍ଶକମାନେ ରଚନାଙ୍କୁ ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ୍ ପରଦାରେ ଦେଖିବାକୁ ପାଇବେ । ରଚନା କୌଣସି ସିନେମାରେ ନୁହେଁ, ବରଂ ପ୍ରଥମ ଥର ପାଇଁ ଏକ ଓଡ଼ିଆ ମେଗା ଧାରାବାହିକରେ ଅଭିନୟ କରୁଛନ୍ତି ।


‘ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୮ଟା ୩୦ରେ ପ୍ରସାରିତ ହେଉ ଥିବା ମେଗା ଧାରାବାହିକ ‘ସରଗମ୍’ରେ ତାଙ୍କୁ ଦେଖିବାକୁ ମିଳିବ। ‘ସରଗମ୍’ ହେଉଛି ଏକ ସଂଗୀତ ଭିତ୍ତିକ ପ୍ରେମ କାହାଣୀ ଧାରାବାହିକ । ରଚନା ଏହା ମାଧ୍ୟମରେ ଓଡ଼ିଆ ଧାରାବାହିକରେ ପ୍ରବେଶ କରିବାକୁ ଯାଉଛନ୍ତି । ୧୯୯୪ରୁ ୨୦୦୯ ମସିହା ଦୀର୍ଘ ୧୫ ବର୍ଷ କାଳ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ସିନେମା କରି ଦର୍ଶକଙ୍କ ମନ କିଣି ନେଇଥିଲେ ।
ଏହାଛଡ଼ା ରଚନାଙ୍କୁ ନେଇ ସୁଟ୍ ହୋଇଥିବା ସରଗମର ପ୍ରୋମୋ ବି ଏବେ ଦର୍ଶକମାନଙ୍କ ପାଖକୁ ଆସିଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ ସରଗମର ନାୟିକା ସାଧନାଙ୍କ ପାଖକୁ ଏକ ଫୋନ୍ କଲ୍ ଆସୁଛି । ସାଧନା ଫୋନ୍ ରିସିଭ୍ କରିବା ପରେ ଜଣାପଡ଼ୁଛି ଯେ, କୋଲକାତା ଦିଦି ନମ୍ବର ୱାନ୍ ସେଟରୁ ଖୋଦ୍ ରଚନା ବାନାର୍ଜୀ ଏହି କଲ୍ କରିଛନ୍ତି । ସେ ତାଙ୍କ ସୋ’ରେ ସାଧନାଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରୁଛନ୍ତି । ଏହା ଶୁଣି ସାଧନା ବହୁତ ଖୁସି ହୋଇଯାଉଛନ୍ତି । କିନ୍ତୁ ପଣ୍ଡିତ ଜୀ’ ଏଥିପାଇଁ ଅନୁମତି ଦେଉନାହାନ୍ତି । ଏହାପରେ ସାଧନା ରଚନାଙ୍କୁ କେମିତି ଭେଟ ହେବେ ସେ ନେଇ ଆଗକୁ ରହିଛି ସରଗମର ନିମନ୍ତ୍ରଣ ମହାସପ୍ତାହ ଡ୍ରାମା ।

ଚ୍ୟାନେଳ ପକ୍ଷରୁ ସୂଚନା ମିଳିଛି ରଚନା କେବଳ ଅଭିନୟ ନୁହେଁ ଜବରଦସ୍ତ ଡାଏଲଗ୍ ଏବଂ ଗୀତ ମଧ୍ୟ ଗାଇବେ। ରଚନା ବହୁବର୍ଷ ପରେ ଓଡ଼ିଆ ଦର୍ଶକମାନଙ୍କ ପାଖକୁ ପୁଣି ଫେରୁଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି ଏବଂ ବର୍ତ୍ତମାନର ଯୁବପିଢିଙ୍କୁ ଦେଖିଲେ ନିଜର କିଛି ପୁରୁଣା ସ୍କୃତି ତାଜା ହୋଇଯାଏ ବୋଲି କହିଛନ୍ତି ।

Comments are closed.