Odisha Link
Bridging the Missing Links in Odisha

‘ଗାନ୍ଧୀସର୍କିଟ’ ଯୋଜନା ଖୁବଶୀଘ୍ର କାର୍ଯ୍ୟ କାରୀ ହେବ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଗସ୍ତରେ ଆସିଥିବା ପୃଷ୍ଠଭୂମିରେ ଗାନ୍ଧୀଐତିହ୍ୟ ସମ୍ବଳିତ ସ୍ଥାନଗୁଡ଼ିକର ଉନ୍ନତିକରଣ ସମେତ ଗାନ୍ଧୀ ସର୍କିଟ୍‌ ଯୋଜନାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଆହୁରି ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ତାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପିତ ହେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗାନ୍ଧୀ କଥା’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ପାଣିଗ୍ରାହୀ ଏହା କହିଛନ୍ତି ।

ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ବିଶ୍ୱର ଅନ୍ୟତମ ବିଚକ୍ଷଣ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରିବା ସହିତ ଗାନ୍ଧିଜୀଙ୍କ ବାଣୀ ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଭବିଷ୍ୟତ ପାଇଁ ଅନୁକୂଳ ହେବ ବୋଲି କହିବା ସହିତ ଗାନ୍ଧିଜୀଙ୍କୁ ସହସ୍ରାବ୍ଦୀର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ବିଦ୍ୱାନ ସତ୍ୟନାରାୟଣ ସାହୁ ଗାନ୍ଧୀ ବିଚାର ଏବେ ମଧ୍ୟ ଅତୁଟ ରହିଛି ଓ ବହୁବର୍ଷ ପୂର୍ବରୁ ଗାନ୍ଧିଜୀଙ୍କ ପ୍ରଦତ୍ତ ବାଣୀ ଏବେ କାର୍ଯ୍ୟଧାରାରେ ଅନୁସୃତ ହେଉଛି ବୋଲି ପ୍ରକାଶ କରିଥିଲେ । ଅହିଂସା, ସତ୍ୟାଗ୍ରହ ଓ ସତ୍ୟ ଗାନ୍ଧିଜୀଙ୍କର ଚରମ ଅସ୍ତ୍ର ଥିଲା । ଗାନ୍ଧିଜୀ ଭାରତୀୟ ପୁରାଣର ଭକ୍ତ ପ୍ରହ୍ଲାଦ, ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌, ଯିଶୁଖ୍ରୀଷ୍ଟ, ଇସ୍‌ଲାମ୍‌ ଧର୍ମର ଇମାମ୍‌ ହୁସେନ୍‌ ଓ ମୀରାବାଈଙ୍କୁ ସତ୍ୟାଗ୍ରହୀ ଭାବରେ ଅନୁସରଣ କରିଥିଲେ । ସତ୍ୟାଗ୍ରହକୁ ସେ ସବୁଧର୍ମର ସଙ୍ଗମ ବୋଲି ବିଚାର କରୁଥିଲେ । ସତ୍ୟ ଓ ଅହିଂସା ଯୋଗର ମୂଳଭିତ୍ତି ବୋଲି ଗାନ୍ଧିଜୀ ବିଚାର କରୁଥିଲେ । ଓଡ଼ିଶାର ଜଣେ ସାଧାରଣ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାୟକ ସାପ କାମୁଡ଼ାରେ ମୃତୁ୍ୟବରଣ କରିଥିବା ପରିପ୍ରେକ୍ଷୀରେ ଗାନ୍ଧିଜୀ ତାଙ୍କ ମୃତୁ୍ୟକୁ ସମ୍ମାନ ଜଣାଇ ସେହିପରି ଭାବରେ ମୃତୁ୍ୟବରଣ କରିବେ ବୋଲି ଇଚ୍ଛା କରିଥିଲେ ।
ହିଂସା ବିରୋଧରେ ଲଢ଼ିବା କଥା ବି୍ରଟିଶମାନେ ଜାଣିଥିଲେ । ମାତ୍ର ଅହିଂସା ଉପାୟରେ ଲଢ଼ିବା କଥା ଗାନ୍ଧିଜୀ ବିଶ୍ୱକୁ ଦେଖାଇଦେଲେ । ଆଜି ମଧ୍ୟ ଶାନ୍ତି ପାଇଁ ନୋବେଲ ବିଜେତାମାନଙ୍କୁ ଦିଆଯାଉଥିବା ପ୍ରଶସ୍ତି ପତ୍ରରେ ଗାନ୍ଧୀ ଆଦର୍ଶ ଉଲ୍ଲେଖ ରହୁଛି । ବିଦେଶରେ ଓ ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ସଂପର୍କରେ ଅଧିକ ଗବେଷଣା ଚାଲୁ ରହିଛି । ଚୀନ୍‌ରେ ପାଠ୍ୟପୁସ୍ତକଗୁଡ଼ିକରେ କନ୍‌ଫୁସିଅସ୍‌, ଲାଓସେ ଓ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପାଠ୍ୟ ରଖାଯିବାକୁ ସ୍ଥିର ହୋଇଛି ବୋଲି ସାହୁ କହିଥିଲେ । ଏକବିଂଶ ଶତାବ୍ଦୀରେ ଅହିଂସା ହିଁ ପୃଥିବୀରେ ଶ୍ରେଷ୍ଠ ଧର୍ମ ଭାବେ ପରିଣତ ହେବ ବୋଲି ଉଲ୍ଲେଖ କରି ସାହୁ ମହିଳାଙ୍କ ପାଇଁ ସଂରକ୍ଷଣ, ନିଶା ନିବାରଣ, ଲିଙ୍ଗଗତ ସମାନତା ଇତ୍ୟାଦି ଉପରେ ଗାନ୍ଧିଜୀଙ୍କ ମତ ଏବେ ସରକାରୀ ସ୍ତରରେ ପାଳିତ ହେଉଥିବା ଦର୍ଶାଇଥିଲେ । ତେଣୁ ଗାନ୍ଧୀ ଦର୍ଶନ ଓ ବିଚାର ସମଗ୍ର ବିଶ୍ୱ ବ୍ୟବସ୍ଥାରେ ତା’ର ଗୁରୁତ୍ୱ ବଜାୟ ରଖିଛି ବୋଲି ସାହୁ ମତ ଦେଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆମ ସମସ୍ତଙ୍କ ଆଚରଣରେ ଗାନ୍ଧୀବାଦ ପ୍ରତିଫଳିତ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ସାମାଜିକ ବ୍ୟବସ୍ଥା ସମ୍ଭବ ହେବ ବୋଲି କହିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ପ୍ରସଙ୍ଗରେ ଗାନ୍ଧୀ ଜୟନ୍ତୀ ଓ ବିଶ୍ୱବ୍ୟାପୀ ପାଳିତ ଅହିଂସା ଦିବସ ଉପରେ ଆଲୋକପାତ କରିଥିଲେ ।
ଅତିଥିମାନେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ସୂତ୍ରମାଳ ଅର୍ପଣ କରିବା ସହିତ ବୃକ୍ଷଚାରାରେ ଜଳଦାନପୂର୍ବକ କାର୍ଯ୍ୟକ୍ରମର ଅୟମାରମ୍ଭ କରିଥିଲେ । ପ୍ରାରମ୍ଭରେ ରାମ୍‌ଧୂନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ହୁସେନ ରବି ଗାନ୍ଧୀ ଓ ଇନ୍ଦିରା ଦାଶଙ୍କ ସଂପାଦିତ ‘କବି ମାନସରେ ଗାନ୍ଧୀ’, ଡ. ଜୟନ୍ତୀ ରଥ ଓ ଶୀତେଶ ତି୍ରପାଠୀଙ୍କ ସଂପାଦିତ ‘ଗାନ୍ଧୀ କଥା ଓ କାହାଣୀ’, ଦାସ୍‌ ବେନ୍‌ହୁର, ଅରବିନ୍ଦ ପଟ୍ଟନାୟକ ଓ ଚନ୍ଦ୍ରଶେଖର ହୋତାଙ୍କ ସଂପାଦିତ ‘ଗାନ୍ଧୀ ବିବିଧତା: ଓଡ଼ିଶାରେ ଗାନ୍ଧୀ ଓ ଗାନ୍ଧୀଚର୍ଚ୍ଚା’ ତିନୋଟି ପୁସ୍ତକର ପ୍ରଥମ ଖଣ୍ଡ ଏବଂ ଅଧ୍ୟାପକ ଧନେଶ୍ୱର ମହାରଣାଙ୍କ ରଚିତ ‘ମୃଣ୍ମୟ ମହାତ୍ମା’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗାନ୍ଧିଜୀଙ୍କ ପି୍ରୟ ଭଜନ ‘ବୈଷ୍ଣବ ଜନତୋ…’ ପରିବେଷଣ କରାଯାଇଥିଲା ।
ଆଜି ସକାଳେ ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଆୟୋଜିତ ଏକ ମାନବଶୃଙ୍ଖଳରେ ବିଭିନ୍ନ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ତଥା ବିଜୁ ଯୁବବାହିନୀର ସ୍ବେଛାସେବୀମାନେ ସାମିଲ ହୋଇ ଗାନ୍ଧିଜୀଙ୍କ ଅହିଂସା ବାର୍ତ୍ତାର ପ୍ରଚାର କରିଥିଲେ । ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମୁଖ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟଦେବ ଭବନଠାରେ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦାସ ଉଦ୍‌ଘାଟନ କରିଥିଲେ ।

Comments are closed.