Odisha Link
Bridging the Missing Links in Odisha

ବିରାଟଙ୍କ ରେକର୍ଡ

ପୁଣେ: ବିରାଟଙ୍କ ନାମରେ ଆଉ ଏକ ରେକର୍ଡ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି।

ଦ୍ୱିଶତକ ମାରିବାରେ ସବୁଠାରୁ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନ୍। ବ୍ରାଡମ୍ୟାନ୍ ମାତ୍ର ୫୨ ଟେଷ୍ଟରେ ୧୨ଟି ଦ୍ୱିଶତକ ମାରିଛନ୍ତି। ତାଙ୍କ ପରକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୧୩୪ ଟେଷ୍ଟରେ ୧୧ ଦ୍ୱିଶତକ ସହ ଦ୍ୱିତୀୟ ଏବଂ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ୧୩୧ ଟେଷ୍ଟରେ ୯ ଦ୍ୱିଶତକ ମାରି ତୃତୀୟ ସ୍ଥାନରେ ରହିଛନ୍ତି।

ଭାରତୀୟଙ୍କ ମଧ୍ୟରେ ରାହୁଲ୍ ଡ୍ରାଭିଡ୍ ୫ଟି, ସୁନୀଲ ଗାଭାସ୍କର ୪ଟି, ଚେତେଶ୍ୱର ପୂଜାରା ୩ଟି ଦ୍ୱିଶତକ ମାରିଛନ୍ତି। ଏବେ କୋହଲି ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରି ରେକର୍ଡ ସ୍ଥାପନ କରିଛନ୍ତି। କୋହଲି ନିଜର ପ୍ରଥମ ୪୧ ଟେଷ୍ଟରେ କୌଣସି ଦ୍ୱିଶତକ ମାରିନଥିଲେ। କିନ୍ତୁ ପରବର୍ତ୍ତୀ ୪୦ ଟେଷ୍ଟ ମ୍ୟାଚରେ କୋହଲି ୭ଟି ଦ୍ୱିଶତକ ମାରିଛନ୍ତି।

ଏହା ସହ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି। କୋହଲି ବିଶ୍ୱର ଚତୁର୍ଥ ଏବଂ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୭ହଜାର ରନ୍ କରିଛନ୍ତି। ଏହି ମାମଲାରେ କୋହଲି ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଏପରିକି କୋହଲି ବ୍ରାଡମ୍ୟାନଙ୍କ (୬୯୯୬) ରନକୁ ମଧ୍ୟ ଟପିଛନ୍ତି।

Comments are closed.