Odisha Link
Bridging the Missing Links in Odisha

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ। ଏହି ଦିନକୁ ଧୁମଧାମ୍ ରେ ପାଳନ କରିବା ପାଇଁ କର୍ମୀମାନେ ଅପେକ୍ଷାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ଆଜି ଘୋଷଣା କରିଛନ୍ତି। ଚଳିତବର୍ଷ ଫନି ବାତ୍ୟାରେ ରାଜ୍ୟର ବିପୁଳ କ୍ଷତି ଘଟିଥିବାରୁ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି। ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା। ମୁଁ ବହୁତ ଖୁସି ଯେ ଆସନ୍ତା କାଲି ସାରା ରାଜ୍ୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଆଭ ଦଳର କର୍ମୀ ଭାଇଭଉଣୀ ଏବଂ ଶୁଭେଚ୍ଛୁ ମାନଙ୍କୁ ମୁଁ ନିବେଦନ କରୁଛି ଯେ ମୋତେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ବର, ନବୀନ ନବିାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ।
କେବଳ ମୋର ଜନ୍ମ ଦିନ ନୁହେଁ, ଆପଣଙ୍କ ଜୀବନ ସବୁ ସ୍ମରଣୀୟ ଦିନ ଯଥା- ଆପଣଙ୍କ ଜନ୍ମ ଦିନ, ଆପଣଙ୍କ ପିଲା ମାନଙ୍କ ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି ଦିନ ମାନଙ୍କରେ ଏହି ପିଲାମାନଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି କରନ୍ତୁ। ଯେତେବେଳେ ଆପଣ ଅନାଥାଶ୍ରମ ବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବିଦ୍ୟାଳୟକୁ ଯାଉଛନ୍ତି, ସେତେବେଳେ ଆପଣ ଆପଣଙ୍କ ପରିବାରକୁ ଓ ପିଲାମାନଙ୍କୁ ସାଥିରେ ନେଇ ଯାଆନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।

Comments are closed.