Odisha Link
Bridging the Missing Links in Odisha

ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସମନ୍ୱିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାର ସରଳୀକରଣ କରାଯିବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆନ୍ତର୍ଜାତିକ ଧଳାବାଡ଼ି ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଉପରୋକ୍ତ ମର୍ମରେ ଉଲ୍ଲେଖ କରିବା ସହ ଧଳାବାଡ଼ି ଦୃଷ୍ଟିବାଧିତମାନଙ୍କ ସ୍ୱଚ୍ଛନ୍ଦ ଯାତାୟତ ଓ ସ୍ୱାବଲମ୍ବନଶୀଳତା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ। ସେମାନଙ୍କ ସୁରକ୍ଷା ଓ ସ୍ୱାଧୀନତାର ପ୍ରତୀକ ଭାବରେ ଧଳାବାଡ଼ି ଯଥାର୍ଥ ଭାବରେ ସହାୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୃଷ୍ଟିବାଧିତମାନଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସମ୍ମାନ ଦେବା ସହିତ ଧଳାବାଡ଼ିର ମର୍ଯ୍ୟାଦାକୁ ସର୍ବସାଧାରଣରେ ପ୍ରତିଷ୍ଠିତ କରିବା ନିମନ୍ତେ ମିଳିତ ଜାତିସଂଘ ଦ୍ୱାରା ୧୯୯୧ରୁ ସ୍ୱୀକୃତ ଆନ୍ତର୍ଜାତିକ ଧଳାବାଡ଼ି ଦିବସ ସାରା ବିଶ୍ୱରେ ଅକେଫାବର ୧୫ ତାରିଖ ଦିନ ପାଳିତ ହୋଇଥାଏ। ଦୃଷ୍ଟିବାଧିତମାନଙ୍କ ନିମନ୍ତେ ଧଳାବାଡ଼ି ସେମାନଙ୍କ ହାତ ଓ ବାହୁକୁ ସଶକ୍ତ କରାଇପାରେ। ଫଳରେ ସେମାନେ ଯେକୌଣସି ପରିସ୍ଥିତିକୁ ଶୀଘ୍ର ଓ ବିଶ୍ୱାସର ସହିତ ସମ୍‌ନା କରିପାରନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପାରାଦୀପ ଫସ୍‌ଫେଟସ୍‌ର ମୁଖ୍ୟ ଲୋକସଂପର୍କ ଅଧିକାରୀ ଶ୍ରୀ ସୁଜିତ ମିଶ୍ର, କାର୍ଯ୍ୟକ୍ରମର ସହଯୋଗୀ ଅନୁଷ୍ଠାନ ଆନନ୍ଦ ଚାରିଟେବୁଲ୍‌ ଟ୍ରଷ୍ଟର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମହାନ୍ତି, ବିଚ୍ଛନ୍ଦ ଓ୍ବେଲ୍‌ଫେୟାର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରକାଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ସୌଭାଗ୍ୟ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସାମାଜିକ ସୁରକ୍ଷା ଅଧିକାରୀ (ସଦର) ଶ୍ରୀ ସନ୍ନ୍ୟାସୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମହମ୍ମଦ ଇମ୍ରାନ୍‌ ଅଲ୍ଲୀଙ୍କ ରଚିତ ବ୍ରେଲି ପୁସ୍ତକ ‘ମିଶନ ଆନସର ଟୁ କ୍ୟାନସର୍‌’ ଲୋକାର୍ପିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡା ଦୃଷ୍ଟିବାଧିତମାନଙ୍କୁ ଧଳାବାଡ଼ି ବିତରଣ କରିଥିଲେ। ଏହା ପୂର୍ବରୁ ଏକ ଧଳାବାଡ଼ି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

Comments are closed.