Odisha Link
Bridging the Missing Links in Odisha

ଶିଶୁ ଦେହରେ ରହିଗଲା ଭଙ୍ଗା ଇଞ୍ଜେକସନ୍‌ ଛୁଞ୍ଚି, ତାପରେ…

ଅନୁଗୋଳ: ଗୋଟିଏ ପଟେ ମୋ ସରକାର କାର୍ଯ୍ୟକ୍ରମ। ଆଉ ଏକ ପଟେ ମେଡିକାଲରେ ଡାକ୍ତର ନାହାନ୍ତି ତ କେଉଠି ଚିକିତ୍ସା ଠିକ୍‌ ଭାବରେ ମିଳି ପାରୁନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

କିଛି ଦିନ ପୂର୍ବେ ଏଠାକୁ ଇଞ୍ଜେକସନ୍‌ ନେବାକୁ ଆସିଥିବା ଜଣେ ତିନି ବର୍ଷର ଶିଶୁ ଶରୀରରେ ଛୁଞ୍ଚି ଭାଙ୍ଗି ରହିଯିବାରୁ ପିଲାଟି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଲା। ଏବେ ଛୁଞ୍ଚିଟିକୁ ବାହାର କରିଦିଆଯାଇଥିବା ବେଳେ ଛୁଆଟିକୁ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ପୂର୍ବେ ଜ୍ୱର ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପାଇଁ ପରିବାର ଲୋକେ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଶିଶୁକୁ ଦେଖି ଇଞ୍ଜେକସନ୍‌ ଓ ମେଡିସିନ୍‌ ଲେଖିଥିଲେ। ମେଡିକାଲରେ ଥିବା ନର୍ସ ପୁନମ ହାଁସଦା ପିଲାଟିକୁ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ଛୁଞ୍ଚିଟି ଭାଙ୍ଗି ପିଲାଟି ଦେହରେ ରହିଯାଇଥିଲା। ଏନେଇ ପରିବାର ଲୋକେ କିଛି ଜାଣିପାରିନଥିଲେ।

କିଛି ଦିନ ପରେ ପିଲାଟିର ଅସହ୍ୟ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାକୁ ଧରି ମେଡିକାଲକୁ ଆଣିଥିଲେ। ଆଣ୍ଟିବାୟୋଟିକ ଦିଆଯାଇଥିବାରୁ ପୀଡା ହେଉଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଆଜି ସକାଳେ ପିଲାଟି ଦେହରୁ ଛୁଞ୍ଚିଟି ଫୁଟି ବାହାରିବାରୁ ଘଟଣା ପଦାକୁ ଆସିଛି। ପିଲାଟିକୁ ଆଜି ପୁଣି ଚିକିତ୍ସା ପାଇଁ ମାଧପୁର ଆଣିବା ପରେ ସେଠାରେ ଡାକ୍ତର ଛୁଞ୍ଚିଟି ବାହାର କରି ଦେଇଛନ୍ତି। ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପିଲାଟିର ବାପା କହିଛନ୍ତି,“ ମୋ ଛୁଆକୁ ଜ୍ୱର ହୋଇଥିଲା। ନର୍ସ ତାକୁ ଇଞ୍ଜେକସନ୍‌ ଦେଇଥିଲେ। କିଛି ଦିନ ପରେ ଛୁଆର ଯନ୍ତ୍ରଣା ବଢ଼ି ବଢ଼ି ଯାଇଥିଲା। ଡାକ୍ତରଖାନା ଆଣିବାରୁ ଡାକ୍ତର ବରଫ ମାରିବାକୁ କହିଥିଲେ। କିଛି ଦିନ ପରେ ଅଣ୍ଡାକୋଷ ତଳେ ମାଂସ ପିଣ୍ଡୁଳା ବାହାରିଥିଲା। ଆମେ ଏନେଇ ଡାକ୍ତରଙ୍କ ଦେଖାଇଥିଲୁ। ଡାକ୍ତର ମେଡିସିନ୍‌ ଲେଖିଦେଇଥିଲେ। ଗତକାଲି ରାତିରେ ଛୁଞ୍ଚିଟି ବାହାରକୁ ବାହାରି ଆସିଥିଲା।”

ମେଡିକାଲ ଇନଚାର୍ଜ ଡଃ ଶାନ୍ତୁନ ପଟ୍ଟନାୟକ କହିଛନ୍ତି,“ ଗତକାଲି ପରିବାର ଲୋକେ ଛୁଆକୁ ନେଇ ମେଡିକାଲ ଆସିଥିଲେ। ଅଣ୍ଡାକୋଷ ତଳେ ଫୁଲିଥିବା ମୁଁ ଦେଖିଥିଲି। ମୁଁ ସେଥିପାଇଁ ମେଡିସିନ୍ ଲେଖିଦେଇଥିଲି। ଆଜି ସକାଳେ ଛୁଆଟିକୁ ଧରି ପୁଣି ମେଡିକାଲ ଆସିଥିଲେ। ଛୁଞ୍ଚିଟି ବାହାରିଥିବା ଦେଖି ଆମେ ବାହାର କରିଦେଇଥିଲୁ। ପରେ ପିଲାଟିକୁ ଅନୁଗୋଳ ରେଫର କରିଦେଇଛୁ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।” ଏହି ଘଟଣାରେ ସମ୍ପୃକ୍ତ ନର୍ସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.