Odisha Link
Bridging the Missing Links in Odisha

କାହାର ହେବ ପୁରୀ ଲୋକସଭା ଆସନ?

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ନାମାଙ୍କନ ପର୍ବ ଜାରି ରହିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୨୫ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଯେଉଁଥିରେ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ।

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ମେ’ ୨୫ରେ ମତଦାନ ହେବ। ତେବେ ନିର୍ବାଚନକୁ ନଜରରେ ରଖି ଶ୍ରୀକ୍ଷେତ୍ରରେ ଚାଲିଛି ସ୍ୱତନ୍ତ୍ର ନିର୍ବାଚନୀ ରଣନୀତି। ପୁରୀ ଜିଲ୍ଲାର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଖୋର୍ଦ୍ଧା ଜିଲ୍ଲାର ଚିଲିକା ଏବଂ ନୟାଗଡ଼ ଜିଲ୍ଲାର ରଣପୁର ଓ ନୟାଗଡ଼ ବିଧାନସଭା ଆସନକୁ ନେଇ ଗଠିତ ପୁରୀ ସଂସଦୀୟ କ୍ଷେତ୍ର।

ଲଗାତର ଷଷ୍ଠଥର ପାଇଁ ବିଜେଡି ଦଖଲରେ ଏ ଆସନ ଥିବା ବେଳେ ଲଗାତର ତୃତୀୟ ଥର ପାଇଁ ସାଂସଦ ଅଛନ୍ତି ପିନାକୀ ମିଶ୍ର। ତେବେ ୨୦୨୪ରେ ପିନାକୀଙ୍କୁ ବାଦ୍ ଦେଇ ଦଳ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେପଟେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ମାତ୍ର ୧୧ ହଜାର ୭୧୪ ଭୋଟରେ ପରାସ୍ତ ହୋଇଥିବା ସମ୍ବିତ ପାତ୍ର ଦ୍ୱିତୀୟ ଥର ପାଇଁ ସୁଯୋଗ ପାଇଛନ୍ତି।

ସେପଟେ କଂଗ୍ରେସରୁ ସୁଚରିତା ମହାନ୍ତିଙ୍କ ବଦଳରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ ଟିକେଟ୍ ଦିଆଯାଇଛି। ଦଳ ଲଢିବା ପାଇଁ ଟଙ୍କା ଦେଉନଥିବା ଅଭିଯୋଗ ଆଣି ସୁଚରିତା ଟିକେଟ ଫେରାଇଥିଲେ। ଦଳୀୟ ପାଣ୍ଠି ନମିଳିଲେ ଲଢିବା ସମ୍ଭବ ନୁହେଁ କିନ୍ତୁ ସେ କଂଗ୍ରେସରେ ରହିବେ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଚିଠି ଲେଖିଥିଲେ। ଆଉ ଏହା ପରେ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି। ତେବେ ଚଳିତ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.