Odisha Link
Bridging the Missing Links in Odisha

ଆଜି ବିଶ୍ଵ ରେଡ୍‌କ୍ରସ୍‌ ଦିବସ; ଜାଣନ୍ତୁ କେବେ ଏବଂ କେଉଁଠୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ମେ’ ୮ ତାରିଖକୁ ସାରା ବିଶ୍ବରେ ରେଡକ୍ରସ୍‌ ଦିବସ ଭାବେ ପାଳନ କରାଯାଏ। ୧୮୨୮ ମସିହା ଏହିଦିନରେ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଟରନ୍ୟାସନାଲ କମିଟି ଅଫ୍‌ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ଥିଲେ। ଏହି ସଂଗଠନ ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ତଥା ଯୁଦ୍ଧ ବନ୍ଦୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏହା ଆଇନ ସହାୟତା ମଧ୍ୟ ଯୋଗାଇ ଦେଇଥାଏ। ରେଡ୍‌କ୍ରସ୍‌ର ମୁଖ୍ୟାଳୟ ସ୍ବିଜରଲ୍ୟାଣ୍ଡର ଜେନେଭାରେ ରହିଛି।

ଚଳିତବର୍ଷ ରେଡ୍‌କ୍ରସ୍‌ ଦିବସର ଥିମ ରହିଛି,” ମୁଁ ଆନନ୍ଦରେ ଦିଏ ଏବଂ ମୁଁ ଦେଇଥିବା ଆନନ୍ଦ ମୋ ପୁରସ୍କାର ଅଟେ”। ତେବେ ପ୍ରଥମ ବିଶ୍ବଯୁଦ୍ଧ ପରେ ବିଶ୍ବକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ‘ରେଡ୍‌କ୍ରସ୍‌ ଟ୍ରୁସ୍‌’ ଅଭିଯାନ ଆରମ୍ଭ କରାଯାଇଥିଲା। ସରକାରୀ ସ୍ତରରେ ରେଡ୍‌କ୍ରସ୍‌ ଦିବସର ନାମ ବହୁବାର ପରିବର୍ତ୍ତନ କରାଯିବା ପରେ ୧୯୮୪ରେ ‘ୱାର୍ଲଡ୍‌ ରେଡ୍‌କ୍ରସ୍‌ ଆଣ୍ଡ୍ ରେଡ୍‌କ୍ରିସେଣ୍ଟ ଡେ’ ରଖାଯାଇଥିଲା, ଯାହା ଏବେ ଏହି ନାମରେ ପାଳନ କରାଯାଉଛି। ହେନେରି ଡୁନାଣ୍ଟ ପିଲାଟି ଦିନରୁ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ।

ସେ ମୃତ୍ୟୁ ପର୍ଯ୍ୟନ୍ତ ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସେ ରେଡକ୍ରସ୍‌ ଗଠନ କରିଥିଲେ। ଭାରତରେ ୧୯୨୦ ମସିହାରେ ଦିଲ୍ଲୀଠାରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ରେଡ୍‌କ୍ରସ୍‌ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍‌କ୍ରସ୍‌ର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି।

Leave A Reply

Your email address will not be published.