ରାଜନୀତିର ଖେଳରେ ହାରିଲେ ଯୋଗେଶ୍ୱର ଓ ବବିତା, ଜିତିଲେ ସନ୍ଦୀପ

ନୂଆଦିଲ୍ଲୀ: ରାଜନୀତିର ଖେଳରେ ପ୍ରଥମଥର ପାଇଁ ଖେଳିବାକୁ ଆସିଥିବା ରେସଲର ଯୋଗେଶ୍ୱର ଦତ୍ତ ଓ ବବିତା ଫୋଗାଟ ଚିତପଟାଙ୍ଗ ମାରିଛନ୍ତି। ଅପରପକ୍ଷେ ହକି ଷ୍ଟାର ସନ୍ଦୀପ ସିଂହ ବିଜୟୀ ହୋଇଛନ୍ତି। ହରିୟାଣା ବିଧାନସଭାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯୋଗେଶ୍ୱରଙ୍କୁ କଂଗ୍ରେସ କୃଷ୍ଣ ହୁଡ୍ଡା ପରାସ୍ତ କରିଛନ୍ତି। ସେହିପରି ବିଜେପିର ଅନ୍ୟତମ ପ୍ରାର୍ଥୀ ବବିତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ସୋମବୀର ହରାଇ ଦେଇଛନ୍ତି।
ଯୋଗେଶ୍ୱର ହରିଆଣାର ବରଦୋରା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ତାଙ୍କୁ କୃଷ୍ଣ ହୁଡ୍ଡା କଡ଼ା ଟକ୍କର ଦେଇଥିଲେ। ଆଜି ଭୋଟ ଗଣତି ଆରମ୍ଭରୁ ଯୋଗେଶ୍ୱର ଆଗରେ ରହିଥିଲେ। ତେବେ କିଛି ରାଉଣ୍ଡର ଗଣତି ପରେ ପୂରା ଖେଳ ବୁଲି ଯାଇଥିଲା। ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ଯୋଗେଶ୍ୱରଙ୍କୁ କୃଷ୍ଣ ହୁଡ୍ଡା ପଛରେ ପକାଇ ଦେଇଥିଲେ। ଯୋଗେଶ୍ୱରଙ୍କୁ ମାତ୍ର ୪ ହଜାର ଭୋଟରେ ପରାସ୍ତ ହେବାକୁ ପଡ଼ିଛି। ନିର୍ବାଚନ ଲଢ଼ିବା ପାଇଁ ଯୋଗେଶ୍ୱର ଡିଏସ୍ପି ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଥିବା ବବିତା କୁମାରୀଙ୍କ ମୁକାବିଲା ଦାଦ୍ରୀରେ ସ୍ୱାଧୀନ ପ୍ରାର୍ଥୀ ସୋମବୀରଙ୍କ ସହ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନ ଲଢ଼ିବା ପାଇଁ ବବିତା ହରିଆଣା ପୁଲିସ୍ ବାହିନୀରୁ ଇସ୍ତଫା ମଧ୍ୟ ଦେଇଥିଲେ। ହେଲେ ତାଙ୍କୁ ସୋମବୀର ପରାସ୍ତ କରିଦେଇଛନ୍ତି।
ଅନ୍ୟପକ୍ଷରେ ଏକମାତ୍ର କ୍ରୀଡ଼ାବିତ ଭାବେ ହକି ଷ୍ଟାର ସନ୍ଦୀପ ସିଂହ ବିଜେପିର ମାନ ରଖିପାରିଛନ୍ତି। ପେହୁୱା ଆସନରୁ ପ୍ରାର୍ଥୀ ହୋଇଥିବା ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ସନ୍ଦୀପଙ୍କ ମୁକାବିଲା କଂଗ୍ରେସର ମନଦୀପ ସିଂହଙ୍କ ସହ ହୋଇଥିଲା। ତେବେ ଏଠାରେ ମନଦୀପଙ୍କୁ ସେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।