Odisha Link
Bridging the Missing Links in Odisha

ଶିଶୁ ଅଧିକାର ସୁରକ୍ଷାରେ ଗାନ୍ଧୀବାଦର ମହତ୍ତ୍ୱ ରଖିବାକୁ ମତ ପ୍ରକାଶ

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ସତ୍ୟ ଏବଂ ଅହିଂସାର ମାର୍ଗ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଗାନ୍ଧିଜୀଙ୍କ ସମଗ୍ର ଜୀବନ ଆଦର୍ଶ, ମୂଲ୍ୟବୋଧ ତଥା ଭାରତୀୟ ଦର୍ଶନ ଓ ଚିନ୍ତନ ଉପରେ ପ୍ରତିଷ୍ଠିତ । ତାଙ୍କର କର୍ମମୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଭାରତବାସୀଙ୍କୁ ଆଲୋକିତ କରୁଥିବ । ପ୍ରତ୍ୟେକ ଶିଶୁଙ୍କୁ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ଅବଗତ କରାଗଲେ ଶିଶୁର ବ୍ୟକ୍ତିତ୍ୱ ଉତ୍ତରଣରେ ଏହା ଗଭୀର ତଥା ସକାରାତ୍ମକ ପ୍ରଭାବ ପକାଇବ ବୋଲି ‘ଗାନ୍ଧୀ ଦର୍ଶନ ଏବଂ ଶିଶୁ ଅଧିକାର’ ଶୀର୍ଷକ ବକ୍ତୃତାମାଳାରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନବାର୍ଷିକୀ ଉପଲକ୍ଷେ ଆୟୋଜିତ ବକ୍ତୃତାମାଳାକୁ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରି ବିଶିଷ୍ଟ ଗାନ୍ଧୀବାଦୀ ସ୍ୱାଧନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ଗାନ୍ଧୀ ଚିନ୍ତା ଓ ଚେତନା ସାଂ ପ୍ରତିକ ସମୟରେ ସମସ୍ତଙ୍କର ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେଯେ ଶିଶୁ ଭିତରେ ଅହିଂସା, ସତ୍ୟ ଓ ନିର୍ଭୀକତାକୁ ବଞ୍ଚାଇ ରଖିବାକୁ ହେଲେ ତା’ର ବଞ୍ଚି ରହିବାର ସମସ୍ତ ଅଧିକାରକୁ ସୁରକ୍ଷା ଦେବାକୁ ହେବ ବୋଲି ମହାତ୍ମା ଗାନ୍ଧୀ ବିଶ୍ୱାସ କରୁଥିଲେ । ଶିଶୁର ଶାରୀରିକ ସୁରକ୍ଷା, ମୌଳିକ ଓ ମାଗଣା ଶିକ୍ଷା, ପରିବାରର ସମସ୍ତଙ୍କ ସହ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ, ତା’ର ସ୍ୱାଧୀନତା ଏବଂ ମୌଳିକ ଆବଶ୍ୟକତାଗୁଡ଼ିକର ପୂରଣ ଦିଗରେ ଆମ ସମସ୍ତଙ୍କୁ ଉପଯୁକ୍ତ ନିର୍ଣ୍ଣୟ ନେବାକୁ ହେବ ବୋଲି ପାଣିଗ୍ରାହୀ କହିଥିଲେ ।
ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ପୈରୋହତ୍ୟରେ ଅନୁଷ୍ଠିତ ଏହି ବକ୍ତୃତାମାଳା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ କବି ଏବଂ ଚିନ୍ତକ ହର ପ୍ରସାଦ ଦାସ, ଗାନ୍ଧୀବାଦୀ ଲେଖକ ପ୍ରହ୍ଲାଦ ସିଂହ, କିସ୍‌ ବିଶ୍ୱବିଦ୍ୟାଳୟର କୁଳ ପତି ପ୍ରଫେସର ଡ. ହରେକୃଷ୍ଣ ଶତ ପଥୀ ଓ ରାଜ୍ୟ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ବକ୍ତବ୍ୟ ରଖି ଶିଶୁ ଅଧିକାର ଉପରେ ଗାନ୍ଧିଜୀଙ୍କ ଦୃଷ୍ଟିକୋଣ ନେଇ ଆଲୋକ ପାତ କରିଥିଲେ । ହରିଦ୍ୱାରସ୍ଥିତ ଦିବ୍ୟେ ପ୍ରମ ସଂଗଠନର ସାଧାରଣ ସଂ ପାଦକ ତଥା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ପ୍ରବୀଣ କୁମାର ଶର୍ମା ଯୋଗାଇଦେଇ ଶିଶୁମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବାରେ ଗାନ୍ଧୀ ଦର୍ଶନର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ଆୟୋଗର ସଦସ୍ୟ ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆୟୋଗର ସମସ୍ତ ସଦସ୍ୟସଦସ୍ୟା ଏବଂ କର୍ମଚାରୀମାନେ ଉ ପସ୍ଥିତ ଥିଲେ ।

Comments are closed.