ଆବାସ ଯୋଜନା ପାଇଁ କଲ୍ ସେଣ୍ଟର

ଭୁବନେଶ୍ବର: ଗ୍ରାମୀଣ ବାସ ଗୃହ ଯୋଜନା ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ନିଃଶୁଳ୍କ କଲ ସେଣ୍ଟରର ବ୍ୟବସ୍ଥା ଉପଲବ୍ଧ କରିବେ। ଏଥିପାଇଁ ଆଜି ସବୁ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଞ୍ଚାୟତିରାଜ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଚିଠି ଲେଖିଛନ୍ତି। ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ୫’ଟି’ ଆଧାରରେ ଗ୍ରାମୀଣ ଆବାସିକ ଯୋଜନାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବିଭାଗ ଲକ୍ଷ୍ୟ ରଖିଛି। କଲ ସେଣ୍ଟର ଜରିଆରେ ହିତାଧିକାରୀଙ୍କ ବାସଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରାଯିବା ସହ ଜିଲ୍ଲା ସ୍ତରରେ ଅଭିଯୋଗ ପ୍ରତିବିଧାନ କରାଯାଇପାରିବ।
ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଲେଖିଥିବା ଚିଠିରେ କଲ ସେଣ୍ଟର ପାଇଁ ଆବଶ୍ୟକ ନିୟମ ସଂପର୍କରେ ସୂଚନା ଦିଆଯାଇଛି। କଲ ସେଣ୍ଟରର କର୍ମଚାରୀ ସିଧାସଳଖ ବାସଗୃହ ହିତାଧିକାରୀଙ୍କ ସହ କଥା ହେବା ସହ ସେମାନଙ୍କ ଆପତ୍ତି ଅଭିଯୋଗର ପଞ୍ଜୀକରଣ କରିବେ। ହିତାଧିକାରୀଙ୍କୁ ମଞ୍ଜୁର ହୋଇଥିବା ବାସଗୃହ ବାବଦ ଅର୍ଥ ସହାୟତା ବିଷୟରେ ଅବଗତ କରାଇବେ। ଯଦି ଜଣେ ହିତାଧିକାରୀ ଦୁର୍ନୀତିର ଶିକାର ହୋଇଥାନ୍ତି କିମ୍ବା ତାଙ୍କର କିଛି ଜାଣିବାର ବାକି ଥାଏ, ତାହେଲେ କଲ ସେଣ୍ଟର କର୍ମଚାରୀ ସେହି ଅଭିଯୋଗ ପଞ୍ଜୀକରଣ କରି ଅଭିଯୋଗ ପ୍ରତିବିଧାନ କରିବାର ବ୍ୟବସ୍ଥା କରିବେ। ଏହାସହ ଯୋଜନାର ନିୟମ ବିଷୟରେ ବି ଆବଶ୍ୟକ ସୂଚନା ପ୍ରଦାନ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିପାଇଁ କଲ ସେଣ୍ଟର କର୍ମଚାରୀଙ୍କୁ ଗ୍ରାମୀଣ ବାସଗୃହ ପୋର୍ଟାଲ, ଆଵାସସଫ୍ଟ ଓ ସ୍ବତନ୍ତ୍ର ସଫ୍ଟଵେର୍ ଜରିଆରେ ହିତାଧିକାରୀଙ୍କ ଡାଟାବେସ୍ ତଥ୍ୟ ଉପଲବ୍ଧ କରାଯିବ। ଜିଲ୍ଲା ସ୍ତରରେ ଆବଶ୍ୟକ ସଫ୍ଟଵେର ଉପଲବ୍ଧ କରିବା ପାଇଁ ୟୁଏନଡିପି ସହାୟତା ଯୋଗାଇଦେବ। ପ୍ରତିଦିନ କଲ ସେଣ୍ଟର କର୍ମଚାରୀ ଅନ୍ୟୁନ ୫୦ ଜଣ ହିତାଧିକାରୀଙ୍କୁ କଲ କରି ସେମାନଙ୍କ ବାସଗୃହ ନିର୍ମାଣ ସ୍ଥିତି, ସହାୟତା ପାଇବାରେ ସରକାରୀ କର୍ମଚାରୀଙ୍କ ଦ୍ବାରା ହଇରାଣ ହରକତ ହୋଇଛନ୍ତି କି ନାହିଁ ସେ ନେଇ ପଚାରି ବୁଝିବେ। ଟ୍ୟାଗ୍ ଅଫିସରଙ୍କଠାରୁ ହିତାଧିକାରୀଙ୍କ ବାସଗୃହ ନିର୍ମାଣର ସ୍ଥିତି ନେଇ ନିୟମିତ ରିପୋର୍ଟ ସଂଗ୍ରହ କରିବେ। କଲ ସେଣ୍ଟରକୁ କଲ କରୁଥିବା ହିତାଧିକାରୀଙ୍କ ପାଇଁ ଏହି ସେବା ନିଃଶୁଳ୍କ ହେବ। ଅଭିଯୋଗ ପଞ୍ଜୀକରଣ ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ପଞ୍ଜୀକୃତ ନମ୍ବର ଯୋଗାଇ ଦିଆଯିବ। ଏଥିପାଇଁ ଦୁଇଟି ପୃଥକ ରେଜିଷ୍ଟାର କର୍ମଚାରୀ ବ୍ୟବହାର କରିବେ। ନିୟମିତ ବ୍ୟବଧାନରେ ପ୍ରକଳ୍ପ ନିର୍ଦ୍ଦେଶକ କିମ୍ବା ଗ୍ରାମୀଣ ବାସଗୃହ ଯୋଜନାର ଏପିଡି ରେଜିଷ୍ଟରଗୁଡ଼ିକୁ ଦୈନିକ ଯାଞ୍ଚ କରିବେ।