Odisha Link
Bridging the Missing Links in Odisha

ଓକିଲ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ନରମିଲେ ହାଇକୋର୍ଟ ଆଇନଜୀବୀ। ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ହାଇକୋର୍ଟର ସମସ୍ତ ଆଇନଜୀବୀ। ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହା ସହ ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ବାର ଆସୋସିଏସନ୍‌ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ। ବିସିଆଇର ନିର୍ଦ୍ଦେଶ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସିଧା ଚିଠିରେ ଲେଖାଯାଇଥିଲା।
କାର୍ଯ୍ୟରେ ଯୋଗ ନ ଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସହ ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ। ସୁପ୍ରିମକୋର୍ଟ ବି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ।

Comments are closed.