ଅମରେଶ ନାୟକ ହତ୍ୟାକାଣ୍ଡ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ଅମରେଶ ନାୟକଙ୍କ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଦୀପାବଳି ରାତିରେ ଅମରେଶଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା।
ସୂଚନା ଅନୁସାରେ ଦୀପାବଳି ରାତିରେ ସୁନ୍ଦରପଦା ଏକାମ୍ର କଲେଜ ସାମ୍ନାରେ ଅମରେଶ ନାୟକ ଓ ତାଙ୍କ ସହଯୋଗୀମାନେ ବାଣ ଫୁଟାଉଥିଲେ। ସେହି ସମୟରେ ସେଠାରେ ବସିଥିବା ଜଣେ ଯୁବକ ଏହାକୁ ବିରୋଧ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ତେବେ ଗଣ୍ଡଗୋଳ ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହୋଇଥିଲା। ଅମରେଶ ଓ ତାଙ୍କ ସହଯୋଗୀମାନେ ସେହି ସ୍ଥାନରେ ଭୋଜିର ଆୟୋଜନ କରିଥିଲେ। ଭୋଜି ଚାଲିଥିବାବେଳେ ଅଚାନକ ସଂଘବଦ୍ଧଭାବେ କିଛି ଯୁବକ ଆସି ଅମରେଶଙ୍କୁ ପିଟିପିଟି ମାରିଦେଇଥିଲେ। ଅମରେଶଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଘଟଣାର ବହୁ ପ୍ରତ୍ୟକ୍ଷଦର୍ଶୀ ରହିଥିଲେ। ପୋଲିସ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା। ମୃତ ଅମରେଶଙ୍କର ମଧ୍ୟ ପୂର୍ବ ଅପରାଧିକ ରେକର୍ଡ ରହିଥିବା ଜଣାପଡିଥିଲା।